ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସେଦିନ ଥିଲା ଓଡ଼ିଶାର ଗଣପର୍ବ ରଜର ଶେଷ ସନ୍ଧ୍ୟା ବା ଶେଷ ରଜ। ଚାଷୀକୂଳଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ସମସ୍ତେ ଉତ୍ସବର ମାହୋଲରେ ମଗ୍ନ ଥିଲେ। କିନ୍ତୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସାଇନଗରରେ ଏହି ଆନନ୍ଦର ମାହୋଲ କ୍ଷଣକ ମଧ୍ୟରେ ଏକ ଭୟଙ୍କର ଅଭିଶାପରେ ପରିଣତ ହେଲା। ଦିଲ୍ଲୀର ଜଣେ ଯୁବତୀ ଓ ଗୁଜରାଟର ଜଣେ ଯୁବକ (ଯେଉଁମାନେ ଏକ ପ୍ରତିଷ୍ଠିତ ଏନଜିଓରେ କାର୍ଯ୍ୟ କରନ୍ତି)ଙ୍କୁ ପିଲାଚୋର ସନ୍ଦେହରେ ଯେଭଳି ନିର୍ମମ ଭାବେ ନିର୍ଯାତନା ଦିଆଗଲା, ତାହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ତେବେ ଏହି ଘଟଣାର ଗଭୀର ଅନୁସନ୍ଧାନରୁ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ଏହି ବର୍ବର ହିଂସାକାଣ୍ଡକୁ ଉସକାଇବା ଓ ଏକ ଗୁଜବକୁ ରକ୍ତାକ୍ତ ଦଙ୍ଗାରେ ରୂପାନ୍ତରିତ କରିବା ପଛରେ ସ୍ଥାନୀୟ ଏକ ‘ବିଅର ବାର୍’ ହିଁ ମୁଖ୍ୟ ସୂତ୍ରଧର ସାଜିଥିଲା। ଘଟଣାସ୍ଥଳରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ମଦ ଦୋକାନଟି ଏକ ପାଗଳ ଓ ଅନ୍ଧବିଶ୍ୱାସୀ ଭିଡ଼କୁ ରକ୍ତମୁଖା ହିଂସ୍ର ଦଳରେ ପରିଣତ କରିଦେଇଥିଲା।
• ୧୨ କିଲୋମିଟରର ସେହି କାଳରାତ୍ରି:
ଆତଙ୍କର ସମୟସୀମା
ଗୋଟିଏ ସ୍ପୁଟର ଖରାପ ହେବା ଘଟଣାରୁ ଆରମ୍ଭ ହୋଇଥିବା ଏହି ସନ୍ଦେହ, କିଭଳି ମିଥ୍ୟା ଗୁଜବ ଓ ମୋବାଇଲ ଫୋନ୍ କଲ୍ ମାଧ୍ୟମରେ ୫ଟି ଗାଁକୁ ବ୍ୟାପିଗଲା, ତାହାର ଚିତ୍ର ଏହିପରି:
• ସନ୍ଧ୍ୟା ୭:୦୦ (ରାସ୍ତା ଭୁଲ୍):
ଦିଲ୍ଲୀର ସୁମନ ଝା ଏବଂ ତାଙ୍କ ଗୁଜରାଟୀ ସହକର୍ମୀ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ନାଗାବଳୀ ନଦୀ କୂଳେ କୂଳେ ଯାଉଥିବା ବେଳେ ରାସ୍ତା ଭୁଲ କରିଥିଲେ। ସ୍ଥାନୀୟ ଜଣେ ବ୍ୟକ୍ତି ଆଗକୁ ନକ୍ସଲ ଭୟ ଥିବା କହିବାରୁ ସେମାନେ ସେଠାରୁ ଫେରିଥିଲେ।
• ରାତି ୮:୩୦ ( ଗୁଜବର ସୂତ୍ରପାତ):
ଦଣ୍ଡାପଦର ନିକଟରେ ସେମାନଙ୍କ ସ୍କୁଟରଟି ଖରାପ ହୋଇଯାଇଥିଲା। ସ୍ଥାନୀୟ କିଛି ମଦ୍ୟପ ଯୁବକ ସେମାନଙ୍କୁ ଜେରା କରିବା ସହ ଏନଜିଓ ଆଇଡି କାର୍ଡ ଦେଖାଇବା ସତ୍ତ୍ୱେ ଚାବି ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଭୟଭୀତ ହୋଇ ଦୁହେଁ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।
• ରାତି ୯:୦୦ ରୁ ୧୦:୦୦ (୧୨ କିଲୋମିଟର ଘେରାବନ୍ଦୀ):
ଉକ୍ତ ଯୁବକମାନେ ବାଇକ୍ରେ ସେମାନଙ୍କ ପିଛା କରିବା ସହ ଆଗରେ ଥିବା କାବୁଲଗୁଡା, ସାନକୁଆଁ ଓ ପେଡିପାଦର ଭଳି ଗାଁଗୁଡ଼ିକୁ ଫୋନ୍ କରି “ପିଲାଚୋର ପଳାଉଛନ୍ତି” ବୋଲି ମିଥ୍ୟା ଆତଙ୍କ ଖେଳାଇ ଦେଇଥିଲେ। ଗାଁ ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ।
• ରାତି ୧୦:୦୦ (ସାଇନଗର ଆମ୍ବୁସ):
ସାଇନଗର ନିକଟରେ ସ୍କୁଟରଟି ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପୂର୍ବରୁ ଜମା ହୋଇ ରହିଥିବା ରକ୍ତମୁଖା ଜନତା ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ।
ସାଇନଗରରେ ସେହି ପୀଡିତା ଓ ତାଙ୍କର ପୁରୁଷ ବନ୍ଧୁ କେବଳ ସାଧାରଣ ଗ୍ରାମବାସୀଙ୍କ ସମ୍ମୁଖୀନ ହୋଇନଥିଲେ, ବରଂ ସେମାନେ ସେହି ସମୟରେ ଏକ ସାଂଘାତିକ ବାରୁଦ ଗଦା ଭିତରକୁ ପଶିଯାଇଥିଲେ। ରଜର ଶେଷ ରାତି ହୋଇଥିବାରୁ ସ୍ଥାନୀୟ ବିଅର ବାର୍ରେ ପ୍ରବଳ ଭିଡ଼ ଥିଲା। ଶ୍ରମିକ ଶ୍ରେଣୀଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ଘଣ୍ଟା ଘଣ୍ଟା ଧରି ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ।
ମଦର ନିଶା ମଣିଷର ମସ୍ତିଷ୍କରୁ ବିବେକ, ନିୟନ୍ତ୍ରଣ ଓ ଚିନ୍ତାଶକ୍ତିକୁ ସମ୍ପୂର୍ଣ୍ଣ ଶେଷ କରିଦିଏ। ଯେତେବେଳେ ବାଇକ୍ ଆରୋହୀମାନେ ଆସି “ପିଲାଚୋର” ବୋଲି ଚିତ୍କାର କଲେ, ସେହି ମଦ୍ୟପ ଭିଡ଼ କୌଣସି ଯୁକ୍ତି ବା ପରିଚୟ ପତ୍ର ଦେଖିବା ସ୍ଥିତିରେ ନଥିଲେ। ସେମାନେ ବାର୍ ଭିତରୁ ବାହାରି ଆସି ଉଗ୍ର ରୂପ ଧାରଣ କଲେ। କିଛି ସଚେତନ ସ୍ଥାନୀୟ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ମାଡ଼ ମରାଯାଇଥିଲା।
ଉତ୍ତ୍ୟକ୍ତ ଭିଡ଼ର ନିଶା ଏତେ ଭୟଙ୍କର ଥିଲା ଯେ, ସେମାନେ ଘଟଣାସ୍ଥଳକୁ ଆସିଥିବା ମହିଳା ଥାନା ଅଧିକାରୀ ଓ ପୁଲିସ ଦଳକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ପରବର୍ତ୍ତୀ ସମୟରେ ସେମାନେ ଡାକ୍ତରଖାନା, ଥାନା ଘେରାଉ କରିବା ସହ ଚଳନ୍ତା ପିସିଆର ଭ୍ୟାନର କାଚ ଭାଙ୍ଗି ସେଥିରେ ଓହଳିବା ଭଳି ଏକ ସାଂଘାତିକ ଦୃଶ୍ୟ ସୃଷ୍ଟି କରିଥିଲେ।
ପୀଡ଼ିତାଙ୍କ କଣ୍ଠରେ ସେହି କାଳରାତ୍ରିର କରୁଣ କାହାଣୀ
“ସେମାନେ ମତେ ବହୁତ ମାରିଲେ, ମୋ କେଶ ଟାଣିଲେ ଏବଂ ମୋ ପୋଷାକ ଚିରି ଦେଲେ। କିଛି ଲୋକ ମତେ ଅତି ଅସଦାଚରଣ କରୁଥିଲେ…”
ଏହା ଥିଲା ଉକ୍ତ ପୀଡ଼ିତା ଏନଜିଓ କର୍ମୀଙ୍କ ବୟାନ। ସେ ଏସବିଆଇ ଫେଲୋସିପ୍ ଅଧୀନରେ ‘ଗ୍ରାମ ବିକାଶ’ ସଂସ୍ଥା ସହ ମିଶି କାଲାହାଣ୍ଡିରେ କାମ କରୁଥିବା ବେଳେ ଦାରିଙ୍ଗବାଡ଼ିରେ ଥିବା ତାଙ୍କ ସହକର୍ମୀଙ୍କୁ ଦେଖା କରି ଫେରୁଥିଲେ। ସେହି ସମୟରେ ସ୍ଥାନୀୟ ଜଣେ ଟ୍ରାକ୍ଟର ଡ୍ରାଇଭର ବଳରାମ ବାଘ ନିଜ ଜୀବନକୁ ବାଜି ଲଗାଇ ଉତ୍ତ୍ୟକ୍ତ ଭିଡ଼ ଭିତରକୁ ପଶି ଯାଇଥିଲେ। ସେ ନିଜ ଟି-ସାର୍ଟ ପୀଡ଼ିତାଙ୍କୁ ପିନ୍ଧାଇବା ସହ ପୁଲିସ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ହାତିମୁଣ୍ଡା ଓ ଖୁଦଭଟ୍ଟା ସମେତ ୫ଟି ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି। ଗିରଫଦାରୀ ଭୟରେ ସମସ୍ତ ପୁରୁଷ ଜଙ୍ଗଲକୁ ପଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ ୨୧ ଜଣଙ୍କୁ ଗିରଫ କରିଛି।
ତେବେ ଏହି ତଦନ୍ତରେ ସେହି ‘ବିଅର ବାର୍’ ହିଁ ପୁଲିସ ପାଇଁ ମୁଖ୍ୟ ସୂତ୍ର ପାଲଟିଛି। ସେହି ରାତିର ବାର୍ ଟ୍ରାଞ୍ଜାକ୍ସନ ଲଗ୍, ଡିଜିଟାଲ୍ ପେମେଣ୍ଟ ରେକର୍ଡ ଓ ସିସିଟିଭି ଫୁଟେଜ୍ ଯାଞ୍ଚ କଲେ, ସେହି ସମୟରେ କେଉଁମାନେ ସେଠାରେ ମଦ୍ୟପାନ କରୁଥିଲେ ତାର ସ୍ପଷ୍ଟ ପ୍ରମାଣ ମିଳିପାରିବ। ଏହାଦ୍ୱାରା ନିରୀହ ଲୋକଙ୍କ ବଦଳରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇପାରିବ।
ଏହି ଘଟଣା ପ୍ରଶାସନର ବଡ଼ ବିଫଳତାକୁ ପଦାରେ ପକାଇଛି। ରାୟଗଡ଼ାରେ ଗତ ଦୁଇ ବର୍ଷ ହେବ “ଆଖି ଓ କିଡନୀ ଚୋର” ଗୁଜବ ଚାଲିଥିଲେ ମଧ୍ୟ ପ୍ରଶାସନ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ପର୍ବପର୍ବାଣୀ ସମୟରେ ବିନା କୌଣସି ପୁଲିସ ସୁରକ୍ଷା ବା ସିସିଟିଭି ନଜରରେ ମଦ ଦୋକାନ ଖୋଲା ରଖିବା ହିଁ ଏହି ବର୍ବରତାକୁ ଆମନ୍ତ୍ରଣ କରିଥିଲା।
ଓଡ଼ିଶାର ଏହି ସମ୍ମାନହାନୀ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ “ବର୍ବର ଓ ସେଲଫିସ୍” ବୋଲି ଅଭିହିତ କରିବା ସହ ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ଭକ୍ତ ଚରଣ ଦାସ ଓ ମହିଳା କଂଗ୍ରେସ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଓ ଉପବାସ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ, ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ବିରୋଧୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ।
