ଭୁବନେଶ୍ଵର : ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%, ବାୟୋଲୋଜିରେ ୯୪.୮୩% କଟ ଅଫ୍ ଯାଇଛି। ସେହିପରି ବାଣିଜ୍ୟରେ ୮୯.୧୭% କଟ ଅଫ୍ ଯାଇଛି। ଶାସ୍ତ୍ରୀୟ ଷ୍ଟ୍ରିମ୍ ରେ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜ ୬୭.୫୭% କଟଅଫ୍ ସହ ଟପ୍ ରେ ରହିଛି। ସେଲ୍ଫ-ଫାଇନାନ୍ସ ଷ୍ଟ୍ରିମ୍ ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ୯୨.୦୦% କଟଅଫ୍ ସହ ଶୀର୍ଷରେ ରହିଛି। ଆଇନ ବିଭାଗରେ ମଧୁସୂଦନ ଲ’ କଲେଜ ୮୯.୪୦% କଟଅଫ୍ ସହ ଟପ୍ ରେ ଅଛି। ଚଳିତ ବର୍ଷ ୨ ଲକ୍ଷ ୩୭ ହଜାର ୨୦୦ ଛାତ୍ରଛାତ୍ରୀ ଯୁକ୍ତ ତିନି ପାଇଁ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୭୮୨ ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକା ରହିଛି। ଲକ୍ଷେ ୯ ହଜାର ୫୯୧ ଜଣ ଛାତ୍ରୀ ସିଲେକ୍ଟ ହୋଇଥିବା ବେଳେ ୬୯ ହଜାର ୧୮୨ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ସେହିପରି ୯ ଜଣ ଟ୍ରାନ୍ସଜେଣ୍ଡର ସିଲେକ୍ଟ ହୋଇଛନ୍ତି। ବିଜ୍ଞାନରେ ମୋଟ ୪୩ ହଜାର ୬୯୩ ଜଣ, କଳାରେ ଲକ୍ଷେ ୧୨ ହଜାର ୮୨୨ ଜଣ, ବାଣିଜ୍ୟରେ ୧୫ ହଜାର ୬୨୪ ଜଣ, ଶାସ୍ତ୍ରୀୟରେ ୩ ହଜାର ୩୭୧ ଜଣ, ସେଲ୍ଫ-ଫାଇନାନ୍ସିଂରେ ୩ ହଜାର ୨୪୫ ଜଣ, ଆଇନ ବିଭାଗରେ ୧୬୭ ଜଣ ସିଲେକ୍ଟ ହୋଇଛନ୍ତି।
