ଟୋକିଓ : ଏମିତି ଏକ ରେସ୍ତୋରାଁ ଅଛି, ଯେଉଁଠି ବର୍ଷେ କି ୨ ବର୍ଷ ନୁହେଁ ୬୬ ବର୍ଷ ହେଲା ଛଣା ତେଲ ବଦଳିନି। ଜାପାନର ଶିଜୁଓକାରେ ଫ୍ରାଏଡ୍‌ ଚିକେନ୍‌ ରେସ୍ତୋରାଁ ୱାକାଟୋରୀକୁ ନେଇ ଏବେ ବିଶ୍ଵବ୍ୟାପୀ ଚର୍ଚ୍ଚା। ୬୬ ବର୍ଷ ହେଲା ବଦଳିନି ରେସ୍ତୋରାଁର ଛଣା ତେଲ। ରେସ୍ତୋରାଁକୁ ଜାପାନ ଫ୍ରାଏଡ୍‌ ଚିକେନ୍‌ ଗ୍ରାଣ୍ଡ ପ୍ରିକ୍ସରେ ସ୍ୱର୍ଣ୍ଣ ପଦକ ମିଳିଛି। ଚିକେନ୍‌ ଛାଣୁଥିବା ତେଲ ଏହାର ସଫଳତାର ଚାବିକାଠି ବୋଲି ରେସ୍ତୋରାଁ ଦାବି କରିଛି । ୱାକାଟୋରୀର ମାଲିକ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ କହିଛନ୍ତି, ରେସ୍ତୋରାଁର ସଫଳତାର ରହସ୍ୟ ଏକ ଗୁପ୍ତ ଉପାଦାନରେ ଲୁଚିଛି, ଯାହା ୬୬ ବର୍ଷ ପୂର୍ବେ ରେସ୍ତୋରାଁ ଖୋଲିବା ପରଠୁ ବ୍ୟବହୃତ ହେଉଛି । ୧୯୬୦ରେ ଦୋକାନ ସ୍ଥାପନା ପରଠୁ ଚିକେନ୍‌ ଛଣାଯାଉଥିବା ତେଲକୁ କଦାପି ସମ୍ପୂର୍ଣ୍ଣ ଫିଙ୍ଗାଯାଇ ନାହିଁ । ୱାକାଟୋରୀର ୩ୟ ପିଢ଼ିର ମାଲିକ ୟୋଶିହିରୋ ସୁଚିୟା ଖୋଲାଖୋଲି ସ୍ୱୀକାର କରିଛନ୍ତି, ଦୀର୍ଘ ଦଶନ୍ଧି ଧରି ପୁନଃ ବ୍ୟବହାର କରୁଥିବା ତେଲ ହିଁ ରେସ୍ତୋରାଁର ସ୍ୱାଦିଷ୍ଟ ଫ୍ରାଏଡ୍‌ ଚିକେନ୍‌ର ରାଜ୍‌ । ତାଙ୍କ କହିବା ଅନୁସାରେ, ପୁରୁଣା ତେଲରୁ ୱାକାଟୋରୀ ଫ୍ରାଏଡ୍‌ ଚିକେନ୍‌ରେ ଏଭଳି ସୁଗନ୍ଧ ଓ ଦମ୍‌ଦାର ସ୍ୱାଦ ଆସେ, ଯାହା ନୂଆ ତେଲରୁ କଦାପି ମିଳିବନି । ଏହା ହିଁ ରେସ୍ତୋରାଁରୁ ଶୀର୍ଷରେ ରଖିଛି । ଏହି ଖୁଲାସା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଯାଇଛି । ୱାକାଟୋରୀ ୬୬ ବର୍ଷ ପୁରୁଣା ତେଲରେ ଚିକେନ୍‌ ଛାଣି ଲୋକଙ୍କ ଜୀବନକୁ ବିପଦରେ ପକାଉଛି ବୋଲି ଲୋକେ କହୁଛନ୍ତି । କିନ୍ତୁ ରେସ୍ତୋରାଁ ସ୍ପଷ୍ଟ କରିଛି, ତେଲକୁ ଦୈନିକ ଛାଣି ଓ ସେଥିରେ ନୂଆ ତେଲ ମିଶାଇ ଏହାର ଗୁଣବତ୍ତାକୁ ବଜାୟ ରଖାଯାଉଛି । କିନ୍ତୁ ଏ ନେଇ ଖାଦ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି, ତେଲକୁ ବାରମ୍ବାର ଛାଣିବା ଦ୍ୱାରା ଟ୍ରାନ୍ସ ଫ୍ୟାଟି ଏସିଡ୍‌ ଓ ଏକ୍ରିଲାମାଇଡ୍‌ ଭଳି ହାନିକାରକ ଓ କର୍କଟକାରକ ତତ୍ତ୍ୱ ସୃଷ୍ଟି ହୁଏ ।