ସମ୍ବଲପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସମ୍ବଲପୁର ଡିଭିଜନର ସିଏଡିଏ  (କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ଟି ସ୍ଥାନରେ ତଲାସୀ ଚାଲିଛି। ନିଜ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସଙ୍କ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ ଜଣ ଡ଼ିଏସପି , ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକାସାଥିରେ ତଲାସୀ କରାଯାଉଛି l ଇ. ପଦ୍ମଲୋଚନ ଦାସଙ୍କର ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରି ଜିଲ୍ଲାରେ ୭ଟି ସ୍ଥାନରେ ତଲାସୀ ଅଭିଯାନ ଚାଲିଛି l ସମ୍ବଲପୁରର ଧନୁପାଲିରେ ଅବସ୍ଥିତ ପଦ୍ମଲୋଚନ ନାୟକଙ୍କ ଭଡା ଘର, କଟକ ବିଦ୍ୟାଧରପୁରରେ ଥିବା ୭ ହଜାର ବର୍ଗଫୁଟର ଆବାସିକ ତିନି ମହଲା କୋଠା ଘର,   ବାଲେଶ୍ୱରର ବସ୍ତା ପି ଏସ୍ ଅନ୍ତର୍ଗତ ମୁଖାଲିସ୍ ଠାରେ ଶ୍ରୀ ନାୟକଙ୍କ ଆବାସିକ ଦୁଇ ମହଲା କୋଠା, ସମ୍ବଲପୁରର ଧନୁପାଲିରେ ଅବସ୍ଥିତ ଶ୍ରୀ ପଦ୍ମଲୋଚନ ନାୟକଙ୍କ ଅଫିସ୍ ଚାମ୍ବର, କଟକ ସହରରେ ଶ୍ରୀ ନାୟକଙ୍କ ସହଯୋଗୀଙ୍କ ବାସଭବନରେ ତଲାସୀ କରାଯାଉଛି l ମାଲକାନଗିରିର କାଲିମେଲା ଠାରେ ତାଙ୍କର ସହଯୋଗୀଙ୍କର ଗୋଟିଏ ସ୍ଥାନ ରେ ଖାନତଲାସୀ ଜାରି ରହିଛି l ଶ୍ରୀ ପଦ୍ମଲୋଚନ ନାୟକ ସହିତ ଜଡିତ ସମ୍ପତ୍ତି ଉପରେ ସନ୍ଧାନ ସମୟରେ ୨ଟି ବହୁମହଲା କୋଠା, ୧୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୪୫ ଲକ୍ଷ ଟଙ୍କା, ୩ଟି  ୪ ଚକିଆ ଯାନ, ୧ ଜେସିବି ଜବତ ହୋଇଛି l ଭୁବନେଶ୍ୱର, କଟକ, ଯାଜପୁର, ବାଲେଶ୍ୱର ଏବଂ ଡେଲାଙ୍ଗା ଉପକଣ୍ଠରେ ଶ୍ରୀ ନାୟକଙ୍କ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧୫ଟି ମୂଲ୍ୟବାନ ପ୍ଲଟ୍ ରହିଛି  l ଶ୍ରୀଲଙ୍କା, ନେପାଳ, ବାହାରିନ୍ ଏବଂ ଆମେରିକାର କିଛି ବିଦେଶୀ ମୁଦ୍ରା ମିଳିଛି ଯାହାର ମୂଲ୍ୟ ନଗଦ ୩ ଲକ୍ଷ ୪୫ ହଜାର ଟଙ୍କା ହେବ l ବ୍ୟାଙ୍କ, ଡାକ ଜମା ଏବଂ ଆର୍ଥିକ ଉପକରଣରେ ଅନ୍ୟାନ୍ୟ ନିବେଶ ନିର୍ଣ୍ଣୟ କରାଯାଉଛି l ଏବେବି ତଦନ୍ତ ଚାଲିଛି l