ମୁଜାଫରାବାଦ(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ପାକିସ୍ତାନୀ ପ୍ରଶାସନ ଓ ସେନାର ଦମନଲୀଳା ବିରୋଧରେ ଆରମ୍ଭ ହୋଇଥିବା ଗଣଆନ୍ଦୋଳନ କ୍ରମାଗତ ୧୫ ଦିନରେ ପହଞ୍ଚିଛି। ହେଲେ ଏହି ଆନ୍ଦୋଳନ ଏବେ ଏକ ନୂଆ ମୋଡ଼ ନେଇଛି। ଏଥିରେ ସ୍କୁଲ ପିଲା ଓ ହଜାର ହଜାର ମହିଳା ମଧ୍ୟ ସାମିଲ ହୋଇ ପାକିସ୍ତାନ କବଳରୁ ମୁକ୍ତି ପାଇଁ ଦାବି କରିଛନ୍ତି। ପିଓକେର ରାୱଲକୋଟ ସ୍ଥିତ ଇଦ୍‌ଗା ମୈଦାନ ଏବେ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ପାଲଟିଛି। ଏଠାରେ ଗତ ୧୧ ଦିନ ହେବ ୭୦ ହଜାରରୁ ଅଧିକ ଲୋକ ଧାରଣାରେ ବସିଥିବା ବେଳେ ଏହି ପ୍ରଦର୍ଶନରେ ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପୋଷ୍ଟର ଧରି “ପାକିସ୍ତାନୀ ସେନା ବାହାରି ଯାଅ”, “ପାକ ସେନା କାଶ୍ମୀରୀମାନଙ୍କୁ ହତ୍ୟା କରୁଛି”, “ଆମକୁ ଆମ ମୌଳିକ ଅଧିକାର ଓ ମାଗଣା ଶିକ୍ଷା ଦିଅ” ଭଳି ନାରା ଦେଉଥିବା ଦେଖିବାକୁ ମିଳିଛି। ଏପରିକି କାଶ୍ମୀରୀ ଜନସାଧାରଣ ଜାତିସଂଘର ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି। ରାୱଲକୋଟ ବ୍ୟତୀତ ସୁଧନୋତୀ ଜିଲ୍ଲାର ତରାର ଖେଲ ଏବଂ ମଣ୍ଡହୋଲ ଭଳି ଅଞ୍ଚଳରେ ଶତାଧିକ ମହିଳା ପାକିସ୍ତାନ ସରକାରଙ୍କୁ “ଦଖଲକାରୀ” ଆଖ୍ୟା ଦେଇ ରାଜରାସ୍ତାରେ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି। ‘ଆବାମୀ ଆକ୍ସନ କମିଟି’ (ଏଏସି) ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ପାକିସ୍ତାନ ସରକାରଙ୍କ ଆଗରେ ୩୮ ଦଫା ଦାବି ରଖାଯାଇଛି। ଦାବି ପୂରଣ ପାଇଁ ସମୟସୀମା ଦିଆଯାଇଛି, ନଚେତ୍ ୧ ଲକ୍ଷ ଲୋକଙ୍କୁ ନେଇ ରାଜଧାନୀ ମୁଜାଫରାବାଦ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସେନା ସହ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ଆନ୍ଦୋଳନକାରୀଙ୍କ ଜୀବନ ଗଲାଣି। ରିପୋର୍ଟ ମୁତାବକ, ଗତ ଜୁନ୍ ୫ ତାରିଖରୁ ସମଗ୍ର ପିଓକେ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଜୁନ୍ ୧୪ ରୁ ସ୍ଥାନୀୟ ଅଞ୍ଚଳକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଟ୍ରକଗୁଡ଼ିକୁ ମଧ୍ୟ ପାକିସ୍ତାନୀ ସେନା ଅଟକାଇ ରଖିଛି, ଯାହାଫଳରେ ସେଠାରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖାଦେଇଛି। ଜନସାଧାରଣଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବାରୁ ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ତେବେ ଡେଡ୍‌ଲାଇନ୍ ଶେଷ ହେବାକୁ ଥିବାରୁ ପାକିସ୍ତାନୀ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ମଧ୍ୟରେ ଏକ ବଡ଼ ଧରଣର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।