ଲଣ୍ଡନ(ସତ୍ୟପାଠ ବ୍ୟୁରୋ): ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଶକ୍ତ ଝଟକା ଲାଗିଛି। ନୀରବଙ୍କ ବିରୋଧରେ ଲଣ୍ଡନ କୋର୍ଟ ରାୟ ଶୁଣାଇଥିବାବେଳେ, ତାଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)କୁ ୧୦.୭ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ) ପରିଶୋଧ କରିବାକୁ ପଡିବ। ଏନେଇ ବିଚାରପତି ସାଇମନ ଟିଙ୍କଲର ତାଙ୍କ ରାୟରେ କହିଛନ୍ତି ଯେ ନୀରବ ମୋଦୀ ବ୍ୟାଙ୍କକୁ ପ୍ରଦାନ କରିଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି ଅନୁଯାୟୀ ଏହି ରାଶି ପରିଶୋଧ କରିବା ପାଇଁ ସମ୍ପୂର୍ଣ୍ଣ ଦାୟୀ। ପ୍ରକୃତରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁଲାଇ ୨୦୧୨ ମସିହାରେ ନୀରବ ମୋଦୀଙ୍କ ଦୁବାଇସ୍ଥିତ କମ୍ପାନୀ, ଫାୟାରଷ୍ଟାର ଡାଇମଣ୍ଡସକୁ ଋଣ ପ୍ରଦାନ କରିଥିଲା। ଅଗଷ୍ଟ ୨୦୧୩ରେ, ନୀରବ ମୋଦୀ ବ୍ୟକ୍ତିଗତ ଭାବରେ ଋଣ ପରିଶୋଧ ପାଇଁ ଗ୍ୟାରେଣ୍ଟି ଦେଇ କମ୍ପାନୀ ଯଦି ଡିଫଲ୍ଟ କରେ ତେବେ ତାହା ପରିଶୋଧ କରିବାର ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ପ୍ରାରମ୍ଭରେ, ଯେତେବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନୀରବ ମୋଦୀଙ୍କର ବଡ଼ ଠକେଇ ଖବର ପ୍ରକାଶିତ ହେଲା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଋଣ ପରିଶୋଧ ଦାବି କରିବା ଆରମ୍ଭ କଲା। ବ୍ୟାଙ୍କ ମାର୍ଚ୍ଚ ଏବଂ ଏପ୍ରିଲ ୨୦୧୮ରେ ନୀରବ ଏବଂ ତାଙ୍କ କମ୍ପାନୀକୁ ନୋଟିସ ପଠାଇଥିଲା। କିନ୍ତୁ କୌଣସି ଉତ୍ତର ପାଇନଥିଲା। ଏନେଇ ବ୍ୟାଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଅନ୍ୟପଟେ ନୀରବ ମୋଦି ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ଭାରତ ଫେରିବା ଏଡାଇବା ପାଇଁ ଏକ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଏହାକୁ ଏଡାଇବା ପାଇଁ, ସେ କୋର୍ଟରେ ଅନେକ ଯୁକ୍ତି ଉପସ୍ଥାପନ କରିବା ସହ ଦାବି କରିଥିଲେ ଯେ ସେ ଋଣ ପରିଶୋଧ ସମ୍ପର୍କରେ ବ୍ୟାଙ୍କରୁ କୌଣସି ଉପଯୁକ୍ତ ନୋଟିସ ପାଇ ନାହାଁନ୍ତି। କିନ୍ତୁ ନୀରବ ମୋଦୀଙ୍କ ଆବେଦନ କୋର୍ଟ ଶୁଣି ନଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି ସାଇମନ ଟିଙ୍କଲର ନୀରବ ମୋଦିଙ୍କ ସମସ୍ତ ବାହାନାକୁ ଖାରଜ କରି କହିଥିଲେ ଯେ ବ୍ୟାଙ୍କ କାହିଁକି ତାଙ୍କ ଟଙ୍କା ଗ୍ରହଣ କରିବ ନାହିଁ ସେ ବିଷୟରେ ତାଙ୍କର କୌଣସି ସ୍ପଷ୍ଟୀକରଣ ନାହିଁ। ଏହା ସ୍ପଷ୍ଟ ଯେ ନୋଟିସଗୁଡ଼ିକ ତାଙ୍କ ପାଖରେ ପହଞ୍ଚିଥିଲା। ଏହା ବ୍ୟତୀତ, କୋର୍ଟ ମନେ ପକାଇ ଦେଇଛନ୍ତି ଯେ ୨୦୧୮ରେ ଠକେଇର ଖବର ପ୍ରକାଶ ପାଇବା ପରେ, ନିରବ ମୋଦୀ ନିଜେ ବ୍ୟାଙ୍କକୁ ଏକ ଇମେଲ୍ ଲେଖି ସ୍ୱୀକାର କରିଥିଲେ ଯେ ମିଡିଆ ରିପୋର୍ଟ ଏବଂ ତଦନ୍ତ ଯୋଗୁଁ ତାଙ୍କ କମ୍ପାନୀଗୁଡ଼ିକର କାର୍ଯ୍ୟ ସ୍ଥଗିତ ହୋଇଯାଇଛି ଏବଂ ସେ ବ୍ୟାଙ୍କଗୁଡ଼ିକୁ ଋଣ ପରିଶୋଧ କରିପାରି ନାହାଁନ୍ତି।