ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବା ବେଳେ ଚଳିତ ନୂତନ ଶିକ୍ଷାବର୍ଷରେ ସରକାରୀ ସ୍କୁଲ୍ର ଛୋଟ ଛୋଟ ପିଲାଙ୍କୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦେବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ଶିଶୁବାଟିକା, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ଏହି ସୁବିଧା ପାଇବେ। ସରକାର ଏଥର ଦୁଇ ପ୍ରକାର ଆକାରର ସ୍କୁଲ ବ୍ୟାଗ ବ୍ୟବସ୍ଥା କରିଥିବା ବେଳେ ଶିଶୁବାଟିକାରୁ ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଗୋଟିଏ ଆକାରର ବ୍ୟାଗ ଓ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଆକାରର ବ୍ୟାଗ ବ୍ୟବସ୍ଥା ହୋଇଛି। ଓସିକ୍ ବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭେଲପମେଣ୍ଟ କର୍ପୋରେସନ୍ ବ୍ଲକ୍ ସ୍ତରରେ ଏହି ସ୍କୁଲ୍ ବ୍ୟାଗ୍ ଯୋଗାଇବ ବୋଲି ଜଣାପଡିଛି। ତେବେ ବ୍ୟାଗ୍ଗୁଡ଼ିକ ଯଥାଶୀଘ୍ର ସ୍କୁଲ୍ରେ ପହଞ୍ଚାଇ ପିଲାଙ୍କ ମଧ୍ୟରେ ବଣ୍ଟନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଓସେପା ସ୍ପଷ୍ଟ କରିଛି ଯେ, ବ୍ୟାଗ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ। କୌଣସି ତ୍ରୁଟି କିମ୍ବା ଅସଙ୍ଗତି ଦେଖାଦେଲେ ତୁରନ୍ତ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି। ଏହାସହିତ ପିଲାମାନେ ଯେପରି ନୂଆ ଶିକ୍ଷାବର୍ଷରେ ନୂଆ ବ୍ୟାଗ୍ ପାଇପାରିବେ, ସେଥିପାଇଁ ସମସ୍ତ ଜିଲ୍ଲାକୁ ତତ୍ପର ରହିବାକୁ କୁହାଯାଇଛି।
