ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):  ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଜଣ ଅଣ୍ଡରଟ୍ରାୟାଲ ବନ୍ଦୀ ଫେରାର ଘଟଣା ଏବେ ନୂଆ ମୋଡ଼ ନେଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ଚୌଦ୍ୱାର ଥାନା ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରି ଓଡ଼ିଶା ପ୍ରିଜନ୍ସ ଆଣ୍ଡ କରେକ୍ସନାଲ ସର୍ଭିସେସ୍‌ର ଡିଜି ସୁଶାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କଲ ଜେଲର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଲାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

ଅଭିଯୋଗପତ୍ରରେ କୁହାଯାଇଛି ଯେ, ୨/୩ ଅକ୍ଟୋବର ୨୦୨୫ ରାତିରେ ଦୁଇ ଜଣ ହାର୍ଡକୋର ଅଣ୍ଡରଟ୍ରାୟାଲ ବନ୍ଦୀ ଚୌଦ୍ୱାର ସର୍କଲ ଜେଲରୁ ଫେରାର ହୋଇଥିଲେ। ଏହି ଘଟଣାରେ କେବଳ ଅବହେଳା ନୁହେଁ, ବରଂ କିଛି ବରିଷ୍ଠ ଅଧିକାରୀଙ୍କ ସମ୍ଭାବ୍ୟ ଭୂମିକା, ତଥ୍ୟ ଚାପି ଦେବା, ଦସ୍ତାବିଜରେ କାରସାଜି, ସ୍ୱାକ୍ଷର ଜାଲିଆତି ଓ ସରକାରୀ ରେକର୍ଡରେ ହେରଫେର ଭଳି ସଙ୍ଗୀନ ଅଭିଯୋଗ ଉଠାଯାଇଛି।

ସାଂସଦ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଚୌଦ୍ୱାର ଥାନାରେ ୨୦୨୬ ମସିହାର ୩୫ ନମ୍ବର ଏଫ୍‌ଆଇଆର ରୁଜୁ ହୋଇ ତଦନ୍ତ ଚାଲିଥିଲେ ମଧ୍ୟ, ଏହି ଅଭିଯୋଗର ପରିସର ଅଧିକ ବ୍ୟାପକ। ତେଣୁ ବରିଷ୍ଠ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତତାକୁ ନେଇ ପୃଥକ ଏଫ୍‌ଆଇଆର ରୁଜୁ କରି ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ଅଭିଯୋଗପତ୍ରରେ ସାଂସଦ କହିଛନ୍ତି ଯେ, ଉପଲବ୍ଧ ନ୍ୟାୟାଳୟ ଆଦେଶ, ବିଭାଗୀୟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଦସ୍ତାବିଜ ଆଧାରରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ବିଭିନ୍ନ ଦଫାରେ ମାମଲା ରୁଜୁ କରି ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।

ଏପଟେ, ଚୌଦ୍ୱାର ଜେଲର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଲଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଗ୍ରୀମ ଜାମିନ ଆବେଦନ (ABLAPL No.1625/2026) ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି। ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ପକ୍ଷରୁ ତଦନ୍ତରେ ଆବଶ୍ୟକ ଦସ୍ତାବିଜ ଯୋଗାଇ ଦିଆଯାଉନଥିବା ଏବଂ ତଦନ୍ତରେ ସହଯୋଗ ମିଳୁନଥିବା ନେଇ ଅଭିଯୋଗ କରାଯାଇଥିଲା। ହାଇକୋର୍ଟ ଆବଶ୍ୟକ ରେକର୍ଡ ତଦନ୍ତକାରୀ ଅଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସହଯୋଗ ନ ମିଳିଲେ ଅନ୍ତରୀଣ ସୁରକ୍ଷା ହଟିଯିବ ବୋଲି ସତର୍କ କରିଥିଲେ।

ବର୍ତ୍ତମାନ ସାଂସଦଙ୍କ ଏହି ଅଭିଯୋଗ ପରେ ଚୌଦ୍ୱାର ଜେଲ୍ ଫେରାର ମାମଲାରେ ତଦନ୍ତର ପରିସର ବଢ଼ିବ କି ଏବଂ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ପୃଥକ ଏଫ୍‌ଆଇଆର ରୁଜୁ ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।