ବରଗଡ଼/ଅମ୍ବାଭୋନା,(ସତ୍ୟପାଠ ବ୍ୟୁରୋ ): ହୀରାକୁଦ ଜଳଭଣ୍ଡାରର ୨୮ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ଫଳରେ ପଛୁଆ ଜଳ (ବ୍ୟାକ୍ ୱାଟର୍) ପ୍ରଭାବରେ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ଘୁଗୁରାପାଲି ଓ ବେନିଆପାଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ, ପଞ୍ଚାୟତ ସମିତି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପ୍ରଶାସନର ଏକ ମିଳିତ ଟିମ୍ ଦ୍ୱାରା ତୁରନ୍ତ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହିସବୁ ପ୍ରଭାବିତ ଗ୍ରାମଗୁଡ଼ିକରୁ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହିତ ବିପନ୍ନମାନଙ୍କୁ ଆଶ୍ରୟସ୍ଥଳୀ ଗୁଡ଼ିକରେ ସୁରକ୍ଷିତ ରଖାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ସମ୍ପୂର୍ଣ୍ଣ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ ପରିଚାଳନା କାର୍ଯ୍ୟସୂଚୀକୁ ଅତିରିକ୍ତ ତହସିଲଦାର, ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ), ଅଗ୍ନିଶମ ଅଧିକାରୀଙ୍କ, ରାଜସ୍ୱ ନିରୀକ୍ଷକ, ଜି.ପି. ଡି. ଓ, ସରପଞ୍ଚ, ପି. ଇ.ଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ କରାଯାଉଛି । ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚବିଶ ଘଣ୍ଟିଆ ନଜର ରଖାଯିବା ସହ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ପ୍ରଶାସନିକ ତଥ୍ୟ ଅନୁଯାୟୀ, ଅନ୍ତରାଡ଼ି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୩୦୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି, ଯେଉଁଥିରେ ୧୪୭ ଜଣ ପୁରୁଷ, ୯୫ ଜଣ ମହିଳା, ୪ ଜଣ ଗର୍ଭବତୀ ମହିଳା, ୩୪ ଜଣ ବୃଦ୍ଧବୃଦ୍ଧା ଏବଂ ୨୫ ଜଣ ଶିଶୁ ସାମିଲ ଅଛନ୍ତି। ସେହିପରି ଘୁଗୁରାପାଲି ବିଦ୍ୟାଳୟଠାରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ସମୁଦାୟ ୧୫୨ ଜଣ ବନ୍ୟାବିପନ୍ନ ରହିଛନ୍ତି, ଯେଉଁଥିରେ ୬୫ ଜଣ ପୁରୁଷ, ୬୧ ଜଣ ମହିଳା, ୧ ଜଣ ଗର୍ଭବତୀ ମହିଳା, ୮ ଜଣ ବୃଦ୍ଧବୃଦ୍ଧା ଓ ୧୭ ଜଣ ଶିଶୁ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଗନ୍ଥିଆପାଲି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ୧୫୫ ଜଣ ପୁରୁଷ, ୭୫ ଜଣ ମହିଳା, ୨୦ ଜଣ ଶିଶୁ ଏବଂ ୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ରଖାଯାଇ ଆବଶ୍ୟକୀୟ ରିଲିଫ୍ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସମସ୍ତ ଆଶ୍ରୟସ୍ଥଳୀରେ ବନ୍ୟାବିପନ୍ନମାନଙ୍କ ପାଇଁ ପାନୀୟ ଜଳ, ବିଶୁଦ୍ଧ ଖାଦ୍ୟ ଓ ଜରୁରୀ ସ୍ୱାସ୍ଥ୍ୟ ସେବାର ସୁବିଧା ପ୍ରଶାସନ ପକ୍ଷରୁ ସୁନିଶ୍ଚିତ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ଏହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
