ବିଜେପୁର, (ସତ୍ୟପାଠବ୍ୟୁରୋ ): ବରଗଡ଼ ବିଜେପୁର ନିକଟରେ ଭାରସାମ୍ୟ ହରାଇ ଏକ ସ୍କୋର୍ପିଓ ଗାଡ଼ି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ। ସ୍କୋର୍ପିଓ ଗାଡ଼ିଟି ତାଳପଦର ପଟୁ ବିଜେପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ଉତ୍ତାଳି ନଦୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ଦୁଇଜଣ ଥିଲେ। ଗାଡ଼ି ଓଲଟି ପଡ଼ିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ଗାଡ଼ି ଭିତରେ ଥିବା ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଦୁଇଜଣଙ୍କର କୌଣସି ବଡ଼ ଅସୁବିଧା ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ବିଜେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।