ବୁର୍ଲା(ସତ୍ୟପାଠବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ନାମ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଧନୁର୍ଦ୍ଧର ବିଶ୍ୱାଳଙ୍କ ସହ ଜଡିତ ମୋଟ ୪ଟି ଠିକଣାରେ ଏକାସାଥି ଚଢ଼ାଉ କରାଯାଇଛି। ସେହିପରି ଅଶ୍ୱିନୀ ମେହେରଙ୍କ ୫ଟି ଠିକଣାରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ସନ୍ଦେହରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଟିମ୍ ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ଆର୍ଥିକ ଲେନଦେନ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଛି। ସମ୍ବଲପୁର ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ଉରେ ନିୟୋଜିତ ହୋଇଛନ୍ତି l ଶ୍ରୀ ମେହେରଙ୍କ କାର୍ଯ୍ୟାଳୟ ଭିମସାର୍, ବୁର୍ଲା ମେଡିକାଲ୍ ଷ୍ଟାଫ୍ କଲୋନୀରେ ଥିବା ଆବାସିକ ସରକାରୀ କ୍ୱାର୍ଟର, ସୌରଭ ବିହାର, ବୁର୍ଲା, ସମ୍ବଲପୁର ସ୍ଥିତ ନିର୍ମାଣାଧୀନ ଚାରି ମହଲା ବିଶିଷ୍ଟ କୋଠା, ପଠାଣବନ୍ଧ, ବୁର୍ଲାସ୍ଥିତ ଏକ କୋଠା, ବରଗଡ଼ ଜିଲ୍ଲା ଗୋବିନ୍ଦପାଲି ସ୍ଥିତ ଏକ କୋଠାରେ ଚଢ଼ଉ କରାଯାଇଛି l ବିଭିନ୍ନ ସ୍ଥାନରେ ଚଢ଼ଉ ସହ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
