କେନ୍ଦୁଝର(ସତ୍ୟପାଠବ୍ୟୁରୋ) : ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ଆଜି କେନ୍ଦୁଝର ଜିଲ୍ଲାର ଆଦିବାସୀ ଜୁଆଙ୍ଗ ନାବାଳିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୪କୁ ପହଞ୍ଚିଛି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତ ହେଲେଖରବା ଗାଁର ଭିମ ଜୁଆଙ୍ଗଙ୍କ ଝିଅ ଅଞ୍ଜଳି ଜୁଆଙ୍ଗ। ତେବେ ଓଡ଼ିଶାରୁ ଗରିବ ଏବଂ ଶ୍ରମିକମାନଙ୍କୁ ହରିଚନ୍ଦନପୁର ଥାନା ଅଞ୍ଚଳର ଜନୈକ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍ଗ ଆର୍ଥିକ ପ୍ରଲୋଭନ ଦେଖାଇ ତାମିଲନାଡୁ ସ୍ଥିତ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟ କରିବାକୁ ନେଇଥିଲେ । ଏହିଘଟଣା ପରେ ଜିଲ୍ଲା ଶ୍ରମ ବିଭାଗ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗକୁ ଦାୟୀ କରି ତେଲକୋଇ ଥାନାରେ ଏତଲା ଦେଇଛି। ଶ୍ରୀକାନ୍ତ ପ୍ରଲୋଭିତ କରି ନାବାଳିକା ଶ୍ରମିକଙ୍କୁ କାମ କରିବାକୁ ନେଇଥିବା ଏତଲାରେ ଶ୍ରମବିଭାଗ ଦର୍ଶାଇଛି। ଶ୍ରୀକାନ୍ତ ଜୁଆଙ୍ଗ ସମ୍ପ୍ରଦାୟର ହୋଇଥିବାରୁ ଜିଲ୍ଲାର କମ୍ ବୟସ୍କ ଶ୍ରମିକ ମାନଙ୍କୁ ମୋଟାଅଙ୍କର ଦରମା ଲୋଭରେ କାମ କରିବାକୁ ନେଇଥିବା ଅଭିଯୋଗ ହୋଇଥିଲା। ଶ୍ରମ ବିଭାଗର ଏତଲା ପରେ ଘଟଣା ଭିନ୍ନମୋଡ଼ ନେଇଛି। ତାମିଲନାଡୁରେ ଏହି ଦୁର୍ଘଟଣା ପରେ ସେଠାକାର ପୋଲିସ ଶ୍ରୀକାନ୍ତ ଜୁଆଙ୍ଗ ନାମରେ ମାମଲା ରୁଜୁ କରି ଅଟକ ରଖିଥିବା ସୂଚନା ମିଳିଛି।
