ବରଗଡ଼(ସତ୍ୟପାଠବ୍ୟୁରୋ): ବଲାଙ୍ଗୀର ପରେ ବରଗଡ଼ରେ ଜାତିକୁ ନେଇ ବିବାଦ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ବର୍ଗର ପାଚିକାଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ବରଗଡ଼ ଝାରବନ୍ଧ ଦେୱାନପାଲି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପାଚିକାଙ୍କ ପ୍ରତି ଜାତିଗତ ଭେଦଭାବକୁ ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପାଚିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଗାଁରେ ଏକ ବୈଠକ ବସିଥିଲା ଏବଂ ଜଣେ ପ୍ରାର୍ଥୀଙ୍କୁ ଆବେଦନ କରାଇବାକୁ ନିଷ୍ପତ୍ତି ହୋଇଥିଲା । ଅନୁସୂଚିତ ଜନଜାତିର ଜଣେ ଯୁବତୀ ଆବେଦନ କରି ପାଚିକା ଭାବେ ନିଯୁକ୍ତି ପାଇଥିଲେ । ସେ ଗତ ଦୁଇ ମାସ ଧରି ପାଚିକା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ଜାତିକୁ ଆଧାର କରି କେତେକ ବ୍ୟକ୍ତି ତାଙ୍କ ଦ୍ବାରା ରନ୍ଧା ଖାଦ୍ୟ, ଅଣ୍ଡା ଓ ଛତୁଆ ଗ୍ରହଣ ନକରିବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଥିବା ସେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏନେଇ ଲିଖିତ ଭାବେ ଅଭିଯୋଗ ଆସିଥିଲା ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସିଡ଼ିପିଓ କହିଛନ୍ତି ।
