ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଦୀର୍ଘଦିନ ଧରି ଝୁଲି ରହିଥିବା ଜାତୀୟ ଜଳପଥ–୫ ପ୍ରକଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଓ ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲୁଏଆଇ) ମଧ୍ୟରେ ସମନ୍ୱୟ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟର ଅଗ୍ରଗତି ଯାଞ୍ଚ କରାଯିବା ସହ ବିଭିନ୍ନ ସଂସ୍ଥାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ବୈଠକରେ ରେଙ୍ଗାଲି ଜଳଭଣ୍ଡାରର ପୂର୍ଣ୍ଣ ଜଳସ୍ତରକୁ ୧୨୩.୫ ମିଟରରୁ ୧୨୪.୯ ମିଟରକୁ ବୃଦ୍ଧି ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦନ ସମ୍ପର୍କିତ ଅନୁପାଳନ ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(ପ୍ଲାନିଙ୍ଗ ଆଣ୍ଡ ଡିଜାଇନ୍)କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି, ବ୍ରାହ୍ମଣୀ ନଦୀର ଜେନାପୁରଠାରେ ପ୍ରସ୍ତାବିତ ବ୍ୟାରେଜ୍ର ସାଧାରଣ ନକ୍ସା ଜାତୀୟ ବନ୍ଦର, ଜଳପଥ ଓ ଉପକୂଳ ପ୍ରଯୁକ୍ତି କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଆଇଡବ୍ଲୁଏଆଇ ଏହାର କାର୍ଯ୍ୟକାରିତା ପଦ୍ଧତି ସ୍ପଷ୍ଟ କରିବା ସହ ସଂରଚନା ନିର୍ମାଣ ସମ୍ପର୍କିତ ବିବରଣୀ ରାଜ୍ୟ ସରକାରଙ୍କ ସହ ଭାଗ କରିବ । ପ୍ରକଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଭୌତିକ ମଡେଲ୍ ଅଧ୍ୟୟନ । ଏହି ଅଧ୍ୟୟନକୁ ଆସନ୍ତା ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ଏନଟିସିପିଡବ୍ଲୁସି ଓ ଆଇଆଇଟି ମାଡ୍ରାସକୁ ଦାୟିତ୍ୱ ଦିଆଯାଇଛି । ଅଧ୍ୟୟନର ଅଗ୍ରଗତି ଉପରେ ନିୟମିତ ବୈଷୟିକ ସମୀକ୍ଷା ବୈଠକ ଜାରି ରହିବ। ତାଳଚେରରୁ ପଙ୍କପାଳ ପର୍ଯ୍ୟନ୍ତ ଛଅଟି ଜଳ ନିୟନ୍ତ୍ରଣ ସଂରଚନାର ସ୍ଥାନ ଓ ଉଚ୍ଚତା ଚୂଡ଼ାନ୍ତ କରାଯାଇଛି। ଏହି ପରିବର୍ତ୍ତନର ସମସ୍ତ ଅତିରିକ୍ତ ବ୍ୟୟ ଆଇଡବ୍ଲୁଏଆଇ ବହନ କରିବ ବୋଲି ବୈଠକରେ ସ୍ଥିର ହୋଇଛି । ଅନ୍ୟପକ୍ଷରେ, କାକୁଡ଼ି, କୁରୁଣ୍ଟି ଓ ପଙ୍କପାଳରେ ପ୍ରସ୍ତାବିତ ଟର୍ମିନାଲଗୁଡ଼ିକ ପାଇଁ ସଠିକ୍ ଜମି ବିବରଣୀ ଓ ପ୍ଲଟ୍ ନମ୍ବର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । ଜୁଲାଇ ଶେଷ ସୁଦ୍ଧା ଜମିର କେଏମ୍ଏଲ୍ ମାନଚିତ୍ର ଉପଲବ୍ଧ କରାଯିବ । ପ୍ରକଳ୍ପର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ପ୍ରକ୍ରିୟାକୁ ସମୟବଦ୍ଧ ଭାବେ ଶେଷ କରି ୨୦୩୧-୩୨ ସୁଦ୍ଧା ଜାତୀୟ ଜଳପଥ–୫କୁ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓ ଆଇଡବ୍ଲୁଏଆଇ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଇଛି ।
