ୱାଶିଂଟନ(ସତ୍ୟପାଠବ୍ୟୁରୋ): ଇରାନର ଦିବଙ୍ଗତ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପହାସ ଆନ୍ତଜାତୀୟ ସ୍ତରରେ ପୁଣି ବିବାଦ ସୃଷ୍ଟି କରିଛି। ମାଉଣ୍ଟ ରସମୋରରୁ ଇରାନକୁ ଟାର୍ଗେଟ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଭଲ ସ୍ବଭାବର ହୋଇଥିବାରୁ ଇରାନକୁ ଅନ୍ତିମ ସଂସ୍କାର ପାଇଁ ଏକ ସପ୍ତାହ ସମୟ ପ୍ରଦାନ କରାଯାଇଛି। ପ୍ରକୃତରେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦକ୍ଷିଣ ଡାକୋଟାର ମାଉଣ୍ଟ ରସମୋରରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି ଯେ, ଆମେ ଇରାନକୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟଚକିତ କରିଦେଇଛୁ। ଏବେ ସେମାନେ ଏକ ଚୁକ୍ତି ପାଇଁ ବ୍ୟାକୁଳ ହେଉଛନ୍ତି। ଆମେ ଭଲ ସ୍ବଭାବର ହୋଇଥିବାରୁ ସେମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହ ଛୁଟି ଦେଇଛୁ। ଇରାନରେ ଆୟାତୋଲ୍ଲା ଅଲି ଖାମନେଇଙ୍କ ପାଇଁ ଏକ ସପ୍ତାହ ବ୍ୟାପୀ ରାଷ୍ଟ୍ରାୟତ୍ତ ଅନ୍ତିମ ସଂସ୍କାର ଆରମ୍ଭ ହେବା ପରେ ଟ୍ରମ୍ପଙ୍କ ଏହି ବିବୃତି ଆସିଛି ଯାହା ଆଗାମୀ ଦିନରେ ଉତ୍ତେଜନା ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି।
