ଅଣସର ଘରେ ଦାରୁବ୍ରହ୍ମଙ୍କ ନିକଟରେ ଲାଗି ହୁଏନି ଅନ୍ନ ଭୋଗ । ଠାକୁରଙ୍କୁ ଚକଟା ଭୋଗ ପରେ ପଣା ଅର୍ପଣ କରିଥାନ୍ତି ସେବକ। କେବଳ ଜ୍ୱର ସମୟରେ ଠାକୁରଙ୍କଠାରେ ଲାଗି ହୋଇଥାଏ ଏହି ଅଣସର ପଣା। ସ୍ନାନ ପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜିଉ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଛନ୍ତି । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଗୁପ୍ତ ନୀତି ଦ୍ଵରା ମହାପ୍ରଭୁଙ୍କ ଉପଚାର କରୁଛନ୍ତି । ଅଣସର ବିଧି ଅନୁସାରେ ମହାପ୍ରଭୁ ଜ୍ୱରରେ ପଡ଼ିବା ପରେ ସମସ୍ତ ଉପଚାରରେ ଶୁକ୍ଳ ତଥା ଧଳା ଦ୍ରବ୍ୟର ବ୍ୟବହାର ହେଉଛି। ଶୁକ୍ଳ ବସ୍ତ୍ର ଓ ଫୁଲ ସହ ଧଳା ସଦୃଶ ଅଣସର ପଣା ପିଇ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଇତାପତି ସେବକମାନେ ସର, ଖୀର, କର୍ପୂର, ଚିନି ଓ ପାଣିରେ ଏହି ପଣା ପ୍ରସ୍ତୁତ କରି ମହାପ୍ରଭୁଙ୍କଠାରେ ଲାଗି କରିଥାନ୍ତି। ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନଦିନ ପଣା, ଅଣସର ପଣା ଓ ଅଧରପଣା। ଏହି ଏକମାତ୍ର ପ୍ରସାଦ ଜନତାଙ୍କ ଉଦ୍ଦେଶ୍ୟରେ ଯୋଗାଇ ଦେଉଛନ୍ତି ଦଇତାପତି ସେବକ। ଅଣସର ପଣା କେବଳ ଦଇତାପତି ସେବକମାନେ ପ୍ରସ୍ତୁତ କରିଥାଆନ୍ତି। ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ହେଉଥିବା ଭୋଗ ନୈବେଦ୍ୟ ଭକ୍ତମାନେ ପାଇବାର ସୁଯୋଗ ନଥିଲେ ହେଁ ଏହି ଅଣସର ପଣା ଭକ୍ତଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଏ । ଅଣସର ପଣା ପିଇଲେ ବହୁ ଦୁଃସାଧ୍ୟ ରୋଗ ମଧ୍ୟ ଭଲ ହୋଇଯିବାର ବିଶ୍ୱାସ ରହିଥିବାରୁ ବହୁ ସ୍ଥାନୀୟ ଭକ୍ତ ଏହି ପଣା ପାଇଁ ପ୍ରତୀକ୍ଷା କରିଥାଆନ୍ତି । ମାଟିର ଚାଡ଼ରେ ଏହାକୁ ପ୍ରସ୍ତୁତ କରିବାର ବିଧି ରହିଛି । ମାଟି ଓଳିରେ ଭକ୍ତମାନଙ୍କୁ ପିଇବାକୁ ଦିଆଯାଏ । ଦଇତାପତି ସେବକଙ୍କ କହିବା ମୁତାବକ, ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ନିକଟରେ ଏହି ଭୋଗ କରାଯାଏ । ପରଦିନ ସକାଳୁ ଏହାକୁ ଭକ୍ତମାନଙ୍କ ମଧ୍ୟରେ ବିତରଣ କରାଯାଏ । ଏହି ପଣା ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଉପଲବ୍ଧ ହୁଏ ।
