ଢାକା(ସତ୍ୟପାଠବ୍ୟୁରୋ) : ଜାମ୍ମୁ-କାଶ୍ମୀରର ଅବସ୍ଥିତିକୁ ନେଇ ଭାରତର ଭୁଲ ମାନଚିତ୍ର ଦେଖାଇ ହଟହଟା ହେଲା ପଡୋଶୀ ବାଂଲାଦେଶ।  ଢାକାରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ସେମିନାରରେ ଉପସ୍ଥାପନା ସମୟରେ କାଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦେଖାଯାଇଥିଲା। ଭାରତ ତୁରନ୍ତ ଏହି ମାନଚିତ୍ରର ପ୍ରତିବାଦ କରିଥିଲା। ଭାରତୀୟ ରାଷ୍ଟ୍ରଦୂତ ତୁରନ୍ତ ଏହାର କଡ଼ା ବିରୋଧ କରି ଘଟଣାସ୍ଥଳରେ ସ୍ପଷ୍ଟ କରିଥିଲେ ଯେ ମାନଚିତ୍ରଟି ଭୁଲ ଏବଂ ଜାମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ସୂଚନାଯୋଗ୍ୟ ଯେ, ଢାକାସ୍ଥିତ ବାଂଲାଦେଶ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ବୈଦେଶିକ ବ୍ୟାପାର ଉପରେ ଏକ ସେମିନାର ଆୟୋଜନ କରିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରଦୂତ ତାରିକ ଏ. କରିମ ଏକ ଉପସ୍ଥାପନା ଦେଉଥିଲେ। ଉପସ୍ଥାପନା ସମୟରେ, ସେ ସ୍କ୍ରିନରେ ଭାରତର ଏକ ଭୁଲ ମାନଚିତ୍ର ପ୍ରଦର୍ଶନ କରିଥିଲେ। ଜାମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ଦର୍ଶକଙ୍କ ମଧ୍ୟରେ ଭାରତୀୟ ହାଇକମିଶନର ଦ୍ୱିତୀୟ ସଚିବ ପୂଜା କୁମାରୀ ଝା ମଧ୍ୟ ଉପସ୍ଥିତ ଥିଲେ। ଭୁଲ ମାନଚିତ୍ର ଦେଖିବା ପରେ ସେ ତୁରନ୍ତ ପ୍ରତିବାଦ କରି କହିଥିଲେ, ଏଠାରେ ଦେଖାଯାଇଥିବା ଭାରତର ମାନଚିତ୍ର ଭୁଲ। ଜାମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ମାନଚିତ୍ର ସଠିକ୍ ନୁହେଁ। ତେବେ ଭାରତ ପ୍ରତିବାଦ କରିବା ପରେ ଉପସ୍ଥାପନା କରୁଥିବା ପୂର୍ବତନ ବାଂଲାଦେଶୀ କୂଟନୀତିଜ୍ଞ ତାରିକ ଏ. କରିମଙ୍କୁ ମଞ୍ଚରୁ ସ୍ପଷ୍ଟୀକରଣ ଦେବାକୁ ପଡିଲା। ସେ କହିଥିଲେ ଯେ, ମାନଚିତ୍ରଟି କେବଳ ପ୍ରତୀକାତ୍ମକ ଭାବରେ ବ୍ୟବହାର କରାଯାଇଥିଲା ଏବଂ ପ୍ରକୃତ ସୀମା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ଘଟିଛି ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଏକ ଭୁଲ ମାନଚିତ୍ର ପ୍ରଦର୍ଶିତ ହୋଇଥିଲା। ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସର୍ବଦା ଏହା ବିରୁଦ୍ଧରେ ପ୍ରତିବାଦ କରିଛି। ବାଂଲାଦେଶରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ପୂଜା କୁମାରୀ ଝା ଠିକ୍ ଏହିପରି କରିଥିଲେ।