ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)‌ରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଏହାର ସଦ୍ୟତମ ରିପୋର୍ଟରେ ଆକଳନ କରିଛି। ଗତ ଏପ୍ରିଲ୍‌ରେ ଏହା କହିଥିଲା ଯେ ଦେଶର ଅଭିବୃଦ୍ଧି ୬.୫% ହେବ। କିନ୍ତୁ ସେଥିରେ ୦.୧ ପ୍ରତିଶତ ହ୍ରାସ କରି ଏବେ ନୂଆ ପୁର୍ବାନୁମାନ କରିଛି। ୨୦୨୭-୨୮ରେ ଭାରତର ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ। ଏହା ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶର ମାନ୍ୟତା ବଜାୟ ରଖିବ ବୋଲି ଆଇଏମ୍ଏଫ୍‌ ଆକଳନ କରିଛି।

ବିଶ୍ବ ଅର୍ଥନୀତି ସମ୍ପର୍କରେ ପୁର୍ବାନୁମାନ କରି ଆଇଏମ୍ଏଫ୍‌ କହିଛି ଯେ ୨୦୨୬ରେ ଅଭିବୃଦ୍ଧି ୩ ପ୍ରତିଶତକୁ ହ୍ରାସ ପାଇବ ଓ ୨୦୨୭ରେ ତାହା ୩.୪ ପ୍ରତିଶତ ହାରରେ ଆଗକୁ ବଢ଼ିବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବ ଅର୍ଥନୀତିର ଗତି ମନ୍ଥର ହେବ। ବହୁ ଦେଶର ଅର୍ଥନୈତିକ ପ୍ରଦର୍ଶନ ସେମାନଙ୍କ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଉପରେ ନିର୍ଭର କରୁଛି। ଯୁଦ୍ଧ ସୀମାରୁ ବାହାରେ ଥିବା ଦେଶଗୁଡ଼ିକ ଶକ୍ତି କାରବାରରୁ ଉପକୃତ ହେଉଛନ୍ତି। ଉର୍ଜା ଆମଦାନି କରୁଥିବା ଦେଶର ଅଭିବୃଦ୍ଧି ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଏଭଳି କିଛି ଦେଶ ରହିଛନ୍ତି ଯେଉଁମାନେ ଉର୍ଜା ଆମଦାନି କରୁଥିଲେ ମଧ୍ୟ ପ୍ରଯୁକ୍ତି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ସେମାନଙ୍କ ଉପରେ ଯୁଦ୍ଧର ଯେତିକି ପ୍ରଭାବ ପଡ଼ିବା କଥା ତାହା କମ୍‌ ରହିବ ବୋଲି ଆଇଏମ୍‌ଏଫ୍‌ କହିଛି।

ନିକଟରେ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁସାରେ ୨୦୨୫-୨୬ ଆର୍ଥିକ ବ‌ର୍ଷରେ ଭାରତର ଅଭିବୃଦ୍ଧି ୭.୭ ପ୍ରତିଶତ ରହିଥିଲା। ୨୦୨୪-୨୫ରେ ସେହି ହାର ୭.୧ ପ୍ରତିଶତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପୁର୍ବାନୁମାନ କରିଛି ଯେ ୨୦୨୬-୨୭ରେ ଦେଶର ଅଭିବୃଦ୍ଧି ୬.୬ ପ୍ରତିଶତକୁ ହ୍ରାସ ପାଇବ। ପୂର୍ବରୁ ଏହା କହିଥିଲା ଯେ ଅଭିବୃଦ୍ଧି ୬.୯ ପ୍ରତିଶତ ହେବ। କିନ୍ତୁ ଯୁଦ୍ଧ ପାଇଁ ଇନ୍ଧନ ଓ ଗ୍ୟାସ୍‌ ଦରରେ ବୃଦ୍ଧି ଘଟିବା ଓ ଅନ୍ୟାନ୍ୟ ଯୋଗାଣ ଶୃଙ୍ଖଳ ସମସ୍ୟା ବିଚାରକୁ ନେଇ ଏହା ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ହ୍ରାସ କରିଥିଲା।