ଏକାଦେଶୀ ତିଥିରେ ଶ୍ରୀଜୀଉଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିଲା ଆୟୁର୍ବେଦିକ ଔଷଧ ‘ଦଶମୂଳ ମୋଦକ’। ସ୍ୱର୍ଗତ ରାଜବୈଦ୍ୟ ବିନାୟକ ମିଶ୍ରଙ୍କ ପରିବାର ପକ୍ଷରୁ ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହିତ ମୋଦକ ପ୍ରସ୍ତୁତ କରାଯାଇଛି। ଇତିହାସ କହେ, ତ୍ରୟୋଦଶ ଶତାବ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରୁ ଶ୍ରୀମନ୍ଦିରରେ ଏହି ବୈଦ୍ୟସେବା ଚାଲିଆସିଛି। ଗମ୍ଭାରୀ, ବେଲ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି ଓ ଗୋଖରା ପରି ୧୦ ପ୍ରକାରର ଦୁର୍ଲଭ ଆୟୁର୍ବେଦିକ ଚେରମୂଳି ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମା ଦିନଠାରୁ ମୋଦକ ପ୍ରସ୍ତୁତିର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଚକା ବିଜେ ପରେ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି କରାଯାଇଛି। ଦଇତାପତି ଏବଂ ପତିମହାପାତ୍ର ସେବାୟତ ଅଣସର ଗୃହରେ ମହାପ୍ରଭୁଙ୍କୁ ଏହି ଦଶମୂଳ ମୋଦକ ଲାଗି କରିଛନ୍ତି। ଏହାପରେ ମହାପ୍ରଭୁ ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଜଣାଇବେ ସେବକମାନେ।