ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ସ୍ଥିତି ନଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି। ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ଜଳଭଣ୍ଡାରର ୮ଟି ସ୍ଲୁଇସ୍ ଗେଟ୍ ବନ୍ଦ ରହିଥିବା ବେଳେ ମାତ୍ର ୨ ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୧.୫୪ ଫୁଟ ରହିଥିବା ବେଳେ ଏହା କ୍ରମଶଃ ହ୍ରାସ ପାଉଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ମାତ୍ର ୬୦ ହଜାର ୪୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସ୍ପିଲୱେ, ପାୱାର କେନାଲ, ଶାସନ ଓ ବରଗଡ କେନାଲ ମାଧ୍ୟମରେ ମୋଟ୍ ୭୩ ହାଜର ୭୮୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। କେବଳ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ପ୍ରାୟ ୪୫ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଛି। ଆଉଟ୍-ଫ୍ଲୋ ପରିମାଣ ଇନ୍ଫ୍ଳୋଠାରୁ ଅଧିକ ରହିଥିବାରୁ ଜଳଭଣ୍ଡାର ଜଳସ୍ତର କ୍ରାମଶଃ ହ୍ରାସ୍ ପାଇବାରେ ଲାଗିଛି। ୯ ତାରିଖ ପୂର୍ବାହ୍ନରେ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ସେତେବେଳେ ଜଳଭଣ୍ଡାର ସ୍ତର ପ୍ରାୟ ୬୧୫ ଫୁଟ୍ ଥିଲା। ପୂର୍ବାହ୍ନ ୧୧ଟାରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇଥିଲା। ପରେ ସଂଧ୍ୟା ସୁଦ୍ଧା ଆଉ ୬ଟି ଗେଟ୍ ମିଶାଇ ମୋଟ୍ ୧୦ ଗେଟରେ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା। ଜଳସ୍ତର ବୃଦ୍ଧି ପାଉଥିବାରୁ ସେକେଣ୍ଡ ପିଚ୍ଛା ପ୍ରାୟ ଦେଢ଼ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଥିଲା। ପରେ ଇନ୍ଫ୍ଳୋକୁ ଦେଖି ଗେଟ୍ ସଂଖ୍ୟା ହ୍ରାସ କରାଯାଇଛି । ଅନ୍ୟପଟେ ନଦୀବନ୍ଧରୁ ନିଷ୍କାସିତ ହୋଇଥିବା ବର୍ଷର ପ୍ରଥମ ବନ୍ୟାଜଳ ଶନିବାର ଅପରାହ୍ନରେ ମୁଣ୍ଡୁଳିରେ ପହଞ୍ଚିଥିଲା।
