ଚିତ୍ରକୋଣ୍ଡା(ସତ୍ୟପାଠ ବ୍ୟୁରୋ) : ବେଧଡ଼କ ଭାବେ ଚାଲିଛି ଜଙ୍ଗଲ କଟା। ବନ ବିଭାଗର ନାକ ତଳୁ ରାତି ଅଧିଆ ବୋହି ନେଉଛନ୍ତି ମୂଲ୍ୟବାନ କାଠ। ଏ ନେଇ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିତ୍ରକୋଣ୍ଡାରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏକ ପିକଅପ୍ ଭ୍ୟାନରୁ ମୂଲ୍ୟବାନ ଶିଶୁ କାଠ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। କରୁକୋଣ୍ଡା ଅଞ୍ଚଳରୁ ଓଡ଼ିଶା ସୀମାନ୍ତ-ଆନ୍ଧ୍ର ଡଙ୍କରାଇ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବାବେଳେ ବନ ବିଭାଗ ଏହି କାଠକୁ ଜବତ କରିଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବନ ଅଧିକାରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ପଟୁ ଏକ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖିଥିଲେ। ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଚାଳକ ଗାଡ଼ି ନଅଟକାଇ ଖସି ପଳାଇକୁ ଚେଷ୍ଟା କରିଥିଲା। ଏହାପରେ ବନ ବିଭାଗର ଟିମ୍ ପିକଅପ୍ ଭ୍ୟାନକୁ ପିଛା କରି ମନ୍ତ୍ରୀପୁଟ ଫୁଲପଦର ନିକଟରେ କାବୁ କରିଥିଲେ। ଏହି ପିକଅପ୍ ଭ୍ୟାନର ଯାଞ୍ଚ ବେଳେ ଗାଡ଼ି ଡାଲାରୁ ୧୦ଟି ମୂଲ୍ୟବାନ ଶିଶୁ କାଠ ଗଣ୍ଡି ଜବତ କରାଯାଇଥିଲା। ଯାହାର ସରକାରୀ ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ଘଟଣାସ୍ଥଳରୁ ପିକଅପ୍ ଭ୍ୟାନରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଖସି ପଳେଇଥିବା ବେଳେ, ଜଣଙ୍କୁ ଅଟକ ରଖି କାଠ ଚୋରା ଚାଲାଣ ପଛରେ ଥିବା ରାକେଟ୍ ସମ୍ପର୍କରେ ବନ ବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି କାଠ କେଉଁଠାରୁ କଟାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଖୋଳତାଡ଼ ଚାଲିଛି। ତେବେ ଏହି ଚୋରା ଚାଲାଣରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅଟକ ଯୁବକଙ୍କୁ ଓଡ଼ିଶା ଫରେଷ୍ଟ ଆକ୍ଟ ଅନୁଯାୟୀ  ୧୯୭୨/୫୬ ରେ କୋର୍ଟ ଚାଲାଣ କରାଯିବ।