ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୁହାପଥରର ଗ୍ରେଡ୍‌ରେ ହେରଫେର କରି ସରକାରୀ ରାଜସ୍ୱ କ୍ଷତି କରିଥିବା ଅଭିଯୋଗରେ ରାଜ୍ୟ ସରକାର ୬୫ଟି ଲୁହାପଥର ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅନୋଟିସ୍ ଜାରି କରିଛନ୍ତି। ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏହି ନୋଟିସ୍‌ରେ ଖଣି ଲିଜ୍ ବାତିଲ୍ ଏବଂ ପରଫର୍ମାନ୍ସ ସିକ୍ୟୁରିଟି ଜବତ କରିବା ପାଇଁ କାହିଁକି ପଦକ୍ଷେପ ନିଆଯିବ ନାହିଁ, ସେନେଇ ସ୍ପଷ୍ଟୀକରଣ ମଗାଯାଇଛି।

ରାଜ୍ୟ ସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ର ଯାଞ୍ଚରେ ଜଣାପଡ଼ିଛି ଯେ, କିଛି ଖଣି ଲିଜଧାରୀ ଅନୁମୋଦିତ ମାଇନିଂ ପ୍ଲାନ୍‌ରେ ଥିବା ଲୁହାପଥର ଗ୍ରେଡ୍‌ଠାରୁ କମ୍ ଗ୍ରେଡ୍ ଦର୍ଶାଇ ଖଣିଜ ପରିବହନ କରୁଥିଲେ। ଏହା ଫଳରେ ରୟାଲଟି, ନିଲାମ ପ୍ରିମିୟମ୍ ଓ ଅନ୍ୟାନ୍ୟ ସରକାରୀ ଦେୟ କମ୍ ଆଦାୟ ହୋଇ ରାଜ୍ୟ ସରକାରଙ୍କ ରାଜସ୍ୱରେ ବ୍ୟାପକ କ୍ଷତି ଘଟିଥିବା ଅଭିଯୋଗ ରହିଛି।

ନୋଟିସ୍‌ରେ କେତେକ ଖଣିରେ ବେଆଇନ ସବ୍-ଲିଜ୍, ଖଣି ଲିଜ୍ ସର୍ତ୍ତ ଉଲ୍ଲଂଘନ ଏବଂ ଅନୁମୋଦିତ ସୀମାଠାରୁ ଅଧିକ ଉତ୍ପାଦନ ହୋଇଥିବା ଅଭିଯୋଗ ମଧ୍ୟ ଉଲ୍ଲେଖ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଜବାବ ନ ମିଳିଲେ ଖଣି ଲିଜ୍ ବାତିଲ୍ ସମେତ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସରକାର ସତର୍କ କରିଛନ୍ତି।

ତେବେ ଗତ ବିଧାନସଭାର ବଜେଟ୍ ଅଧିବେଶନରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଥିଲେ ଯେ, ଲୁହାପଥର ଗ୍ରେଡ୍ ହେରଫେର ଯୋଗୁଁ ପ୍ରାୟ ୪,୧୬୨.୭୯ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି। ବିଶେଷକରି କୋଇଡା ଓ ଯୋଡ଼ା ମାଇନିଂ ସର୍କଲରେ ଏଭଳି ଅନିୟମିତତା ଅଧିକ ଧରାପଡ଼ିଥିବା ସରକାର କହିଛନ୍ତି।

ଏହି ଘଟଣାକୁ ନେଇ ଖଣି କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ସରକାରଙ୍କ ଏହି ପଦକ୍ଷେପ ଅନିୟମିତତା ବିରୋଧରେ କଠୋର ଆଭିମୁଖ୍ୟର ସଙ୍କେତ ବୋଲି ଚର୍ଚ୍ଚା ହେଉଛି।