ନୂଆଦିଲ୍ଲୀ: ଜେଲରୁ ବାହାରିବେ ଦାରା ସିଂ। ୨୬ ବର୍ଷର ଅପେକ୍ଷାରେ ଅନ୍ତ ଘଟିବ। ୧୯୯୯ ମସିହାରେ ଘଟିଥିବା ମିସନାରି ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ, ଯାହା ସାରା ଦେଶକୁ ହଲଚଲ କରିଦେଇଥିଲା । ଏବେ ଜେଲରୁ ମୁକ୍ତ ହେବାକୁ ଯାଉଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଲ୍ ସିଂ ଓରଫ୍ ଦାରା ସିଂ। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ, ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାରା ସିଂ ଜେଲ୍‌ରୁ ବାହାରିବେ।

ଦୀର୍ଘ ୨୬ ବର୍ଷର କାରାବାସ ପରେ ଜେଲ ବାହାରର ମୁକ୍ତାକାଶ ଦେଖିବେ ଦାରା ସିଂ। ବହୁ ଚର୍ଚ୍ଚିତ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ଦୋଷୀ ରବୀନ୍ଦ୍ର ପାଲ୍ ସିଂ ଓରଫ୍ ଦାରା ସିଂ ଜେଲରୁ ବାହାରିବେ। ଦାରା ସିଂ ନିଜର ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗତବର୍ଷ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ମୁକ୍ତି ଆବେଦନ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କହିଥିଲେ। ଏହି ରିପୋର୍ଟ ଆଧାରରେ ତାଙ୍କୁ ମୁକ୍ତ କରିବାକୁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

୧୯୯୯ ମସିହା ଜାନୁଆରି ୨୨ ତାରିଖ ରାତି। କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଅଷ୍ଟ୍ରେଲିଆର ମିସନାରୀ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ୍ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ୍ ଓ ତିମୋଥିଙ୍କୁ ଜୀବନ୍ତ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ବିଶ୍ବରେ ଚହଳ ସୃଷ୍ଟି ହୋଇଥିଲା। ନାରକୀୟ କାଣ୍ଡ ପାଇଁ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା, କିନ୍ତୁ ପରେ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯାଇଥିଲା।