ନୂଆଦିଲ୍ଲୀ, ୧୫|୭ : ଇରାନ- ଆମେରିକା ଯୁଦ୍ଧ ନେଇ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ହେଉଥିବାବେଳେ ଅଶାନ୍ତ ହୋଇପଡ଼ିଛି ମଝି ସମୁଦ୍ର । ଓମାନ ଉପକୂଳରେ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କର୍ମାକର । ସାଇପ୍ରସ୍ ପତାକା ଥିବା ଏକ ଜାହାଜରେ ସେ ଆସୁଥିବା ବେଳେ ଇରାନ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ଜାହାଜଟି ଧ୍ୱଂସ ହୋଇଯାଇଥିଲା । ଯେଉଁଥିରେ ହେରମ୍ବଙ୍କ ଜୀବନ ଯାଇଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ ବେଳେ ସେ ଚିନ୍ତିତ ହୋଇ ପଡିଥିଲେ। କିନ୍ତୁ ଘରକୁ ସେ ସୁରକ୍ଷିତ ଭାବେ ଗଲଫ୍ ଅତିକ୍ରମ କରିଥିବା ନେଇ ମେସେଜ୍ କରିଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୩୦ ବର୍ଷୀୟ ହେରମ୍ବଙ୍କ ଘର ହେଉଛି ମହାରାଷ୍ଟ୍ରର ପୁନେରେ । ସେ ମେରାଇନ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଜିଏଫଏକ୍ସ ଗ୍ୟାଲେକ୍ସିରେ ଆକ୍ରମଣ ପରେ ଅନ୍ୟ ଭାରତୀୟଙ୍କ ସହ ସେ ମଧ୍ୟ ନିଖୋଜ ହୋଇଯାଇଥିଲେ । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଥିବା ଓମାନ ଉପକୂଳରେ ଏହି ଅଘଟଣ ଘଟିଥିଲା । ରବିବାର ଘଟିଥିବା ଏହି ଅଘଟଣରେ ୧୧ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ । ପରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ହେରମ୍ବଙ୍କ କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ହେରମ୍ବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ଅଘଟଣ ପୂର୍ବରୁ ପୁଅ ହେରମ୍ବ ମେସେଜ୍ କରିଥିଲେ । ଜାହାଜଟି ସୁରକ୍ଷିତ ଭାବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ କରିଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାର କିଛି ମିନିଟ ପରେ ଯୋଗାଯୋଗ ହୋଇପାରିନଥିଲା । ଯାହା ପରେ ଜାହାଜରେ ବିସ୍ପୋରଣ ଏବଂ ପୁଅର ନିଖୋଜ ଖବର ଆସିଥିଲା ବୋଲି ପରିବାର ଲୋକେ କହିଛନ୍ତି।
