ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବାବେଳେ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି ଲସ୍କର-ଏ-ତୋଏବା’ (ଏଲଇଟି)। ଭାରତ ବିରୋଧରେ ଏକ ବଡ଼ ଓ ବିପଜ୍ଜନକ ଷଡ଼ଯନ୍ତ୍ର ରଚୁଥିବା ଜଣାପଡ଼ିଛି। ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ୟତମ ରାଣା ମହମ୍ମଦ ଅସଫାକ୍ ଏବେ ସୀମା ପାର୍ରେ ଆତଙ୍କବାଦୀଙ୍କୁ କେବଳ ବନ୍ଧୁକ ଚାଳନା ନୁହେଁ, ବରଂ ଶାରୀରିକ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ମଧ୍ୟ ପ୍ରସ୍ତୁତ କରୁଛି । ସୂତ୍ର ଅନୁସାରେ, ପାକିସ୍ତାନରେ ଲସ୍କର-ଏ-ତୋଏବାର ରାଜନୈତିକ ସଂଗଠନ ‘ପାକିସ୍ତାନ ମରକଜି ମୁସଲିମ୍ ଲିଗ୍’ ବ୍ୟାନରରେ ବିଭିନ୍ନ ସହରରେ ଯୁବକମାନଙ୍କ ପାଇଁ ସ୍ୱତନ୍ତ୍ର ଜିହାଦୀ ଟ୍ରେନିଂ କ୍ୟାମ୍ପ ଚଲାଯାଉଛି । ସାମନାକୁ ଆସିଥିବା କିଛି ଫଟୋ ଓ ଭିଡିଓ ଅନୁଯାୟୀ, ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ରାଣା ମହମ୍ମଦ ଅସଫାକ୍ ନିଜେ ସ୍ୱିମିଂ ପୁଲ୍ରେ ଓହ୍ଲାଇ ଯୁବକମାନଙ୍କୁ ସନ୍ତରଣ ଶିଖାଉଛି । ଏହା କୌଣସି ସାଧାରଣ ଟ୍ରେନିଂ ନୁହେଁ, ବରଂ ଜଳପଥ ଦେଇ ଭାରତରେ ଅନୁପ୍ରବେଶ କରିବା, ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ଏବଂ ସ୍ୱତନ୍ତ୍ର ଅପରେସନ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦାବି କରାଯାଇଛି । ଏହା ସହିତ ପାକିସ୍ତାନର ଅନେକ ସହରରେ ସଂଗଠନ ପକ୍ଷରୁ ଯୁବକମାନଙ୍କୁ ଜୁଡୋ, କରାଟେ, ତାଇକୋଣ୍ଡୋ, କୁସ୍ତି ଏବଂ ମାର୍ଶାଲ ଆର୍ଟସର ପ୍ରଶିକ୍ଷଣ ଦିଆଯାଉଛି । ଯେକୌଣସି ସାମରିକ ଆହ୍ୱାନର ମୁକାବିଲା କରିବା ଭଳି ଏକ ପ୍ରଶିକ୍ଷିତ ଆତଙ୍କବାଦୀ ଦଳ ଗଠନ କରିବା ପାଇଁ ଏଭଳି କଠିନ ଅଭ୍ୟାସ କରାଯାଉଥିବା ରିପୋର୍ଟରୁ ସ୍ପଷ୍ଟ ହେଉଛି ।
