ପୁଣେ(ସତ୍ୟପାଠ ବ୍ୟୁରୋ): ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାର ଏବେ ଅଡ଼ୁଆ। ଝିଅର କଳା କାରନାମା ପାଇଁ ଏବେ ଅସୁବିଧା ପଡ଼ିଛନ୍ତି ପରିବାର ଲୋକେ।  ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିୟମ ଉଲ୍ଲଂଘନ ଅଭିଯୋଗରେ ସିୟାଙ୍କ ପରିବାର ଦ୍ୱାରା ପରିଚାଳିତ ମସଲା ଏବଂ ଡ୍ରାଏ ଫ୍ରୁଟ୍ସ ଦୋକାନକୁ ନୋଟିସ୍ ଜାରି କରିବା ସହ ତୁରନ୍ତ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସୂତ୍ର ଅନୁଯାୟୀ, ପୁଣେ ସହରର କେନ୍ଦ୍ରସ୍ଥଳରେ ଥିବା ‘ମାର୍କେଟ ୟାର୍ଡ’ ଅଞ୍ଚଳରେ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାରର ‘ମେସର୍ସ ବି.ଜି. ଗୋୟଲ ଆଣ୍ଡ କମ୍ପାନୀ’ ନାମକ ଏକ ପ୍ରତିଷ୍ଠିତ ଦୋକାନ ରହିଛି। ନିକଟରେ ଏଫଡିଏର ଏକ ଟିମ୍ ଏହି ଦୋକାନ ଉପରେ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଖାଦ୍ୟ ସାମଗ୍ରୀରେ ମିଶ୍ରଣ ଏବଂ ଲେବେଲିଂ ନିୟମର ବ୍ୟାପକ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଚଢ଼ଉ ବେଳେ ‘ସନ୍ଥ’ ଏବଂ ‘ସାଧୁ’ ବ୍ରାଣ୍ଡର ହଳଦୀ ଗୁଣ୍ଡ, ରାଶି, ସୋୟାବିନ ବଡ଼ି ଜବତ ହୋଇଛି । ଏହି ଚଢ଼ଉ ସମୟରେ ପ୍ରାୟ ୮.୧୪ ଲକ୍ଷ ଟଙ୍କା ମୂଲ୍ୟର ୪,୧୭୨ କିଲୋଗ୍ରାମ ସାମଗ୍ରୀ ଜବତ କରାଯାଇଛି । ସାମଗ୍ରୀଗୁଡ଼ିକର ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଖାଦ୍ୟ ସୁରକ୍ଷା ନିୟାମକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ଉକ୍ତ କମ୍ପାନୀ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କେତେକ ବାଧ୍ୟତାମୂଳକ ନିୟମ ପାଳନ କରୁନଥିଲା। ଏହା ବ୍ୟତୀତ ନିଜ ଲାଇସେନ୍ସର ବିବରଣୀରେ ଆବଶ୍ୟକୀୟ ସଂଶୋଧନ କରିବାରେ ମଧ୍ୟ ସେମାନେ ବିଫଳ ହୋଇଥିଲେ। ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସେହି ପ୍ରତିଷ୍ଠାନକୁ ଏକ ନୋଟିସ୍ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୧୮ ତାରିଖରେ ପୁଣେ ଜିଲ୍ଲାର ଲୋହଗଡ଼ ଦୁର୍ଗ ପାହାଡ଼କୁ ଟ୍ରେକିଂ କରିବାକୁ ଯାଇଥିବା ବେଳେ ୨୫ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କୁ ସିୟା ନିଜ ପ୍ରେମିକ ଚେତନ ଚୌଧୁରୀଙ୍କ ସହ ମିଶି ପାହାଡ଼ ଉପରୁ ଖାଇକୁ ଠେଲି ଦେଇ ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ସିୟା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ଜେଲ୍ ପଠାଇଛି।