ଲକ୍ଷ୍ନୌ(ସତ୍ୟପାଠବ୍ୟୁରୋ):  ୟୁପି କ୍ୟାବିନେଟରେ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସମୁଦାୟ ୧୬ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି, ଯେଉଁଥିରେ ସବୁଠାରୁ ଚର୍ଚ୍ଚିତ ନିଷ୍ପତ୍ତି ହେଉଛି ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ମାଗଣା ସ୍କୁଟି ପ୍ରଦାନ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମସ୍ତ କଲେଜରେ ଶ୍ରେଷ୍ଠ ୫ ପ୍ରତିଶତ ଛାତ୍ରୀଙ୍କୁ ମାଗଣା ପେଟ୍ରୋଲ ସ୍କୁଟର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚଶିକ୍ଷା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କର ଗମନାଗମନ ସୁବିଧାକୁ ସହଜ କରିବା। ବିଶେଷ କରି ସେହି ଛାତ୍ରୀମାନେ ଯେଉଁମାନେ ଦୂରଦୂରାନ୍ତ ଅଞ୍ଚଳରୁ ପଢ଼ିବାକୁ ଆସୁଛନ୍ତି, ଏହି ସ୍କୁଟି ସେମାନଙ୍କ ପାଇଁ ବହୁତ ସହାୟକ ହେବ। ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ବ୍ୟତୀତ କ୍ୟାବିନେଟରେ ଅନ୍ୟ ୧୫ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।