ବଲାଙ୍ଗୀର(ସତ୍ୟପାଠବ୍ୟୁରୋ): ଦିନକୁ ଦିନ ତେଜିବାରେ ଲାଗିଛି ଲୋଏର ସୁକତେଲ ପ୍ରକଳ୍ପ ବିବାଦ। ବଲାଙ୍ଗୀର ଜିଲ୍ଲା ଲୋଇସିହା ବ୍ଲକ ବୁଡ଼ି ଅଞ୍ଚଳ କୁମିଆପାଲି ଗାଁରେ ଦେଖାଦେଇଛି ତୀବ୍ର ଉତ୍ତେଜନା। ୮୪ଟି ପରିବାରକୁ ବିସ୍ଥାପନ କରିବାକୁ ପ୍ରଶାସନର ଉଦ୍ୟମ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରିବା ସହ ଗାଁ ନ ଛାଡ଼ିବାକୁ ଗାଁଲୋକେ ଶପତ ନେଇଛନ୍ତି। ବିସ୍ଥାପିତ ପରିବାରଙ୍କ ଦାବିକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିବାବେଳେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିସ୍ଥାପିତମାନଙ୍କ ଦାବି ହେଉଛି, ପୁନର୍ବାସ ଓ କ୍ଷତିପୂରଣ ପାଇଁ ୨୦୨୬ ମସିହାକୁ କଟ୍-ଅଫ୍ ତାରିଖ ଭାବେ ଧାର୍ଯ୍ୟ କରାଯାଉ। ଏହି ଦାବିକୁ ନେଇ ସେମାନେ ଧାରଣାରେ ବସିଥିବା ସହ ସରକାରଙ୍କ ତରଫରୁ ସ୍ପଷ୍ଟ ଘୋଷଣା ଦାବି କରିଛନ୍ତି। ଆନ୍ଦୋଳନ ତୀବ୍ର ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗାଁରେ ପୋଲିସ ମୁତୟନ ସହ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଛି, ଯାହାଫଳରେ କୌଣସି ଅପ୍ରୀତିକର ଘଟଣା ନ ଘଟେ। ଅନ୍ୟପଟେ, ବିସ୍ଥାପିତମାନେ କହିଛନ୍ତି, ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ବର୍ତ୍ତମାନ କୁମିଆପାଲିର ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି ।
