ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଛାତ୍ର ମାନଙ୍କ ଉପର ହୋଇଥିବା ଦମନଲୀଳାକୁ କଡ଼ା ବିରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିଲ୍ଲୀରେ ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଦିଲ୍ଲୀ ଗସ୍ତରେ ଥିବା ନବୀନ ଏ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଆନ୍ଦୋଳନ କରୁଥିବାବେଳେ ଛାତ୍ରମାନଙ୍କୁ ଅମାନୁଷିକ ଭାବେ ଦମନ କରାଯାଇଛି । ଏଥିରେ ବହୁ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ସେପଟେ ଆନ୍ଦୋଳନ ସମୟରେ ଆହତ ହୋଇଥିବା ଛାତ୍ରମାନଙ୍କୁ ବିଜେଡି ସାଂସଦମାନେ ହସ୍ପିଟାଲରେ ଯାଇ ସାକ୍ଷାତ କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି।

ସେହିପରି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ନବୀନଙ୍କୁ ଟାର୍ଗେଟ୍ କରି  କହିଛନ୍ତି , ଓଡ଼ିଆରେ ଗୋଟିଏ କଥା ଅଛି, ଗୋଦରୀ ଲୋ ନିଜ ଗୋଡ଼କୁ ଅନା । ନବୀନଙ୍କ ଶାସନରେ ବହୁ କେଳେଙ୍କାରୀ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶ ପାଇଁ କାମ କରୁଛନ୍ତି । କିନ୍ତୁ ନବୀନ ନିମ୍ନସ୍ତରର ରାଜନୀତି କରୁଛନ୍ତି । ନବୀନଙ୍କୁ ଜବାବ ଦେଇ ଏଭଳି କଡା ଭାଷାରେ ସମାଲୋଚନା କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏ ପ୍ରସଙ୍ଗରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ନବୀନଙ୍କ ଏଭଳି ବକ୍ତବ୍ୟ ସୈତାନର ବେଦପାଠ ସହ ସମାନ । ଯିଏ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ଶାସନ କାଳରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । କନେଷ୍ଟବଳ ନିଯୁକ୍ତି ପରୀକ୍ଷାଠୁ ମାଟ୍ରିକ ପ୍ରଶ୍ନପତ୍ର, ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହେବା ଭଳି ଅନେକ ଘଟଣା ଘଟିଥିଲା । ଅନ୍ୟକୁ ସମାଲୋଚନା ଆଗରୁ ସେ ନିଜ କେଳେଙ୍କାରୀ କଥା ମନେ ପକାନ୍ତୁ ବୋଲି କହିଛନ୍ତି ।

ସେପଟେ ବିଜେଡି ସାଂସଦମାନେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପୋଲିସର ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦମାନେ ଛାତ୍ର ଆନ୍ଦୋଳନକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ସହ ସଂସଦରେ ଏ ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏ ପ୍ରସଙ୍ଗରେ କହିଛନ୍ତି, ନିରୀହ ପ୍ରତିବାଦକାରୀଙ୍କୁ ନିର୍ମମ ଲାଠି ମାଡ଼ କରାଯାଇଛି । ଭବିଷ୍ୟତ ପିଢ଼ି ଏ ନେଇ କଠୋର ଜବାବ ଦେବେ।