ସମ୍ବଲପୁର(ସତ୍ୟପାଠ ବ୍ୟୁରୋ ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମୋଟ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ବନ୍ୟାଜଳ ନିଷ୍କାସନ କରାଯାଉଛି l ବାମ ପାର୍ଶ୍ୱରୁ ୭ଟି ଓ ଡାହାଣ ପାର୍ଶ୍ୱରୁ ୩ଟି ଗେଟ ଖୋଲାଯାଇଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୩.୩୭ ଫୁଟ୍ ରହିଥିବା ବେଳେ ହାରାହାରି ୧,୫୯,୧୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ବିଭିନ୍ନ ଉତ୍ସ ଦେଇ ମୋଟ ୧,୬୧,୧୬୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି, ଯେଉଁଥିରୁ କେବଳ ସ୍ପିଲୱେ ଦେଇ ୧,୨୫,୯୭୩ କ୍ୟୁସେକ ବନ୍ୟାଜଳ ଛଡ଼ାଯାଉଛି। ଏହା ସହିତ ପାୱାର ଚ୍ୟାନେଲ ଦେଇ ୩୧,୦୪୪ କ୍ୟୁସେକ ଏବଂ ବିଭିନ୍ନ କେନାଲ ଦେଇ ୩,୪୦୩ କ୍ୟୁସେକ ଜଳ ପ୍ରବାହିତ ହେଉଛି l ଗତବର୍ଷ ଆଜିର ଦିନରେ ହୀରାକୁଦ ନଦୀବନ୍ଧର ଜଳସ୍ତର ଥିଲା ୬୧୦.୫୬ ଫୁଟ l ଡ୍ୟାମ୍ କର୍ତ୍ତୃପକ୍ଷ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି l
