ରାଉରକେଲା(ସତ୍ୟପାଠ ବ୍ୟୁରୋ): ରୋଗୀ ମୃତ୍ୟୁକୁ ନେଇ ରଣକ୍ଷେତ୍ର ପାଲଟିଛି ହାଇଟେକ୍ ମେଡିକାଲ। ଇସ୍ପାତ୍ ସହରରେ ଥିବା ହାଇଟେକ୍ ମେଡିକାଲ କଲେଜରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେକ୍ଟର ୧୬ର ସୂର୍ଯ୍ୟମୁଖୀଙ୍କ ପେଟରେ ପଥର ଥିବା ନେଇ ରାଉରକେଲା ଥିବା ହାଇଟେକ୍ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସୂର୍ଯ୍ୟମୁଖୀଙ୍କ ପଥର କାଢ଼ିବା ପାଇଁ ଅପରେସନ କରାଯାଇଥିଲା। ଗତ ଜୁଲାଇ ୧୪ ଓ ଜୁଲାଇ ୧୭ ତାରିଖରେ ଦୁଇ ଦୁଇଟି ଅପରେସନ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସୂର୍ଯ୍ୟମୁଖୀର ଭଉଣୀ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଥିଲେ। ଯେଉଁ ଡାକ୍ତର ଚିକିତ୍ସା କରିଥିଲେ ଚିକିତ୍ସାର ସବିଶେଷ ବିବରଣୀ ମାଗିଥିଲେ। ଏନେଇ ବସ୍ତି ବାସିନ୍ଦା ମେଡିକାଲ ଭିତରେ ଧସେଇ ପଶିଥିଲେ। ଏଥିରେ ବାଧା ଦେବାରୁ ସୁରକ୍ଷାକର୍ମୀ ଓ ଉତ୍ତ୍ୟକ୍ତ ଲୋକେ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିବାବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ତେବେ ସ୍ଥିତି ଅଣାୟତ୍ତ ହେବାରୁ ରଘୁନାଥପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାବୁଝା କରିଥିଲେ। ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦୁଇଟି ଅପରେସନ ହୋଇଥିଲା; ରୋଗୀର ଅବସ୍ଥା ଗୁରୁତର ଥିଲା ଆଉ ଗୋଟିଏ ଅପରେସନ ହୋଇଥାନ୍ତା। ସୂର୍ଯ୍ୟମୁଖୀ ଆଇସିୟୁରେ ରହୁଥିବାବେଳେ ତା ପାଖରେ ତାର ମା ଜ୍ୟୋତି ମୁଖୀ ଡିଉଟି କରୁଥିଲା। ବଞ୍ଚାଇବାବୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପ୍ରକାଶ ଥାଉ କି, କିଛିଦିନ ତଳେ ବଣାଇ ଅଞ୍ଚଳର ଜଣାଶୁଣା ସିପିଆଇଏମ ନେତା ଭୁବନେଶ୍ୱର ସାହୁଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ତୁମୁଳ କାଣ୍ଡ ହୋଇଥିଲା।