ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ଵରେ ଚାଲୁଛି ହାଇକୋର୍ଟ। ୭ଟି ହାଇକୋର୍ଟରେ ନାହାଁନ୍ତି ମୁଖ୍ୟ ବିଚାରପତି। ୨୦୨୬ ଜୁଲାଇ ସୁଦ୍ଧା ବମ୍ଵେ, କୋଲକାତା, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ, ମଧ୍ୟପ୍ରଦେଶ, ପାଟନା, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ହାଇକୋର୍ଟରେ ସ୍ଥାୟୀ ମୁଖ୍ୟ ବିଚାରପତି ନାହାଁନ୍ତି। ନିୟମିତ ଟ୍ରାନ୍ସଫର ଏବଂ ଅବସର ପାଇଁ ଏହି ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟ ସଂଶୋଧନ ଅଧ୍ୟାଦେଶ, ୨୦୨୬ ଜରିଆରେ ଶୀର୍ଷ ଅଦାଲତରେ ଜଜଙ୍କ ସଂଖ୍ୟା ୩୩ ରୁ ୩୭ଲୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ମେ ୧୭ରେ ଏହି ନିୟମ ଲାଗୁ ହୋଇଥିଲା। ଏହା ଦ୍ଵାରା ସୁପ୍ରିମକୋର୍ଟରେ ଜଜଙ୍କ ପ୍ରମୋସନ ପାଇଁ ରାସ୍ତା ଖୋଲିଗଲା। ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ହୋଇଗଲା। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ କ୍ରମେ ଚାରି ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ଏମାନଙ୍କ ବଦଳରେ ଉକ୍ତ ହାଇକୋର୍ଟ ଗୁଡ଼ିକରେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କୁ ନିୟୋଜିତ କରାଯାଇଥିଲା।
