ପାଟନା(ସତ୍ୟପାଠ ବ୍ୟୁରୋ) : ବିହାରରେ ଛାତ୍ର ପ୍ରତିବାଦବେଳେ ଫୁଟିଥିଲା ଏକେ-୪୭ରୁ ଗୁଳି । ୬ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଥିବାବେଳେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ବିହାରର ସିୱାନ ଜିଲ୍ଲାରେ ଛାତ୍ର ପ୍ରତିବାଦ ସମୟର ଏକ ଭିଡିଓ ଜାରି ହୋଇଥିଲା, ଯେଉଁଥିରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଏକେ-୪୭ରୁ ଗୁଳି ଚଳାଉଥିବାର ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ, ପୋଲିସ ପ୍ରଶାସନ ଘଟଣାର ସତ୍ୟାସତ୍ୟ ପ୍ରମାଣିତ କରି ଏସଆଇଟି ଅଭିଷେକ କୁମାର ପଟେଲଙ୍କୁ ନିଲମ୍ବିତ କରିଛନ୍ତି। ଦାବି କରାଯାଉଛି ଯେ ସେ ସିୱାନ ଛାତ୍ର ପ୍ରତିବାଦ ସମୟରେ ଛାତ୍ରଙ୍କ ଉପରେ ଆସଲ୍ଟ ରାଇଫଲରୁ ଗୁଳି ଚଳାଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ,ଅଭିଷେକ ପଟେଲ ଛାତ୍ରମାନଙ୍କ ଆଡ଼କୁ ଗୁଳି ଚଳାଇଥିବାର ଦେଖିବାକୁ ମିଳୁଛି, ଯାହା ଫଳରେ ପ୍ରତିବାଦ କରୁଥିବା ଛାତ୍ରମାନେ ପଛକୁ ହଟି ଯାଉଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀ ତା’ପରେ ଏକ ପରେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଭିଡିଓରେ ସେ ପ୍ରାୟ ଛଅ ରାଉଣ୍ଡ ଗୁଳି ଚଳାଇ ଛାତ୍ରମାନଙ୍କ ପଛରେ ଦୌଡୁଥିବାର ମଧ୍ୟ ଦେଖାଯାଉଛି।
