ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ମଝି ଆକାଶରେ 300 ଫୁଟ ତଳକୁ ଖସିଲା ବିମାନ। ଯାତ୍ରୀ ଭୟଭୀତ ହୋଇପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଥାଇଲ୍ୟାଣ୍ଡର ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରବଳ ବାୟୁଚାପର ସମ୍ମୁଖୀନ ହୋଇଥିଲା। ଫଳରେ ଉଡ଼ାଣ ସମୟରେ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଆସିଥିଲା, ଯାହା ଫଳରେ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହଠାତ୍ ଝଟକା ଯୋଗୁଁ ବିମାନରେ ଥିବା ଅନେକ ଯାତ୍ରୀ ଭାରସାମ୍ୟ ହରାଇ ବସିଥିଲେ। ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ହୋଇଛନ୍ତି। ଏୟାର ଇଣ୍ଡିଆ ଘଟଣାର ନିଶ୍ଚିତ କରି କହିଛି ଯେ ସମସ୍ତ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି।

ଦିଲ୍ଲୀ ବିମାନବନ୍ଦର ପ୍ରଶାସନକୁ ପୂର୍ବରୁ ସତର୍କ କରାଯାଇଥିଲା, ଯାହା ଫଳରେ ବିମାନ ଅବତରଣ କରିବା ପୂର୍ବରୁ ଏକ ଡାକ୍ତରୀ ଦଳକୁ ପ୍ରସ୍ତୁତ ରଖାଯାଇଥିଲା। ଫୁକେତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏଆଇ-୨୩୭୯ ବିମାନରେ ଏଭଳି ଅଘଟଣ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ,ପାଇଲଟ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ନିରାପଦରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଜାରି ରଖିଥିଲେ। ଏୟାର ଇଣ୍ଡିଆ ଏକ ବିବୃତି ଜାରି କରି କହିଛି ଯେ, ବିମାନ ସୁରକ୍ଷିତ ଭାବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଉଡ଼ାଣ ସମୟରେ ବାୟୁ ଚାପ ଏବଂ ଗତିରେ ହଠାତ୍ ପରିବର୍ତ୍ତନ ହେଉଛି ଟର୍ବୁଲେନ୍ସ। ଏହା ବିମାନରେ ପ୍ରବଳ ଝଟକା ସୃଷ୍ଟି କରିପାରେ ଏବଂ କେତେକ ସମୟରେ ଉଚ୍ଚତାରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ।