ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ହଟାଇବା ମାମଲାରେ ମେଟାର ଅଡୁଆ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗରେ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ସଂସଦୀୟ କମିଟି ଚେତାବନୀ ଦେଇଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଫେସବୁକରୁ ସାମୟିକ ଭାବେ ହଟାଇବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ସ୍ପଷ୍ଟ କରିଛନ୍ତି, ମେଟା ସିଇଓ ମାର୍କ ଜୁକରବର୍ଗ ଏହି ଘଟଣା ପାଇଁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଯଦି ସେ ତାହା ନ କରନ୍ତି, ତେବେ କମ୍ପାନୀର ସେଫ୍ ହାରବର୍ ସୁରକ୍ଷା ପ୍ରତ୍ୟାହାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିଡିଓ, ଯାହାକି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କିତ ଥିଲା, ତାହାକୁ ଫେସବୁକରୁ ହଟାଇ ଦିଆଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓଟି ପ୍ଲାଟଫର୍ମରୁ ପ୍ରାୟ ୫ ଘଣ୍ଟା ଗାଏବ ରହିଥିଲା । ପରେ ଏହାକୁ ଭୁଲ୍ ଭାବେ ମେଟା ଡିଲିଟ୍ କରିଥିବା ସ୍ବୀକାର କରି ପୁନଃସ୍ଥାପିତ କରାଯାଇଥିଲେ ମଧ୍ୟ ଏହାକୁ ନେଇ ଦେଶରେ ଏକ ବଡ଼ଧରଣର ବିବାଦ ସୃଷ୍ଟି ହୋଇଥିଲା । ସଂସଦୀୟ କମିଟିର ବୈଠକରେ ମେଟା, ଗୁଗଲ୍, ଏକ୍ସ , ୟୁଟ୍ୟୁବ୍ ଏବଂ ସ୍ନାପଚାଟ୍ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପରେ ସାଂସଦ ନିଶିକାନ୍ତ ଦୁବେ ଗଣମାଧ୍ୟମକୁ କହିଛନ୍ତି ଯେ, ମେଟା କର୍ତ୍ତୃପକ୍ଷ ନିଜେ ଏହା ଏକ ତ୍ରୁଟି ଥିଲା ବୋଲି ସ୍ୱୀକାର କରିଛନ୍ତି । ତେବେ କେବଳ କମ୍ପାନୀର ପ୍ରତିନିଧିଙ୍କ କ୍ଷମାପ୍ରାର୍ଥନା ଯଥେଷ୍ଟ ନୁହେଁ, ବରଂ ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିବ ବୋଲି ଦାବି କରାଯାଇଛି।