ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା ପାଣି ଛାଡ଼ିଛି ହେଲେ ଦୁଃଖ ସରିନି। ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଫସଲ ଉଜୁଡ଼ି ଯାଇଛି। ହେଲେ ବନ୍ୟା ବିପନ୍ନଙ୍କୁ ଟିକିଏ ଆଶ୍ବସ୍ତି ଦେବା ସହ କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବନ୍ୟା ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି । ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ପାଖକୁ ଡିବିଟି (DBT) ମାଧ୍ୟମରେ ପହଞ୍ଚାଯିବ। ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ତିନି ଜିଲ୍ଲାକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପାଇଁ ୨୨.୦୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି ଏବଂ ମୟୁରଭଞ୍ଜକୁ ୫.୦୨ କୋଟି ଟଙ୍କା ଦିଆଯାଇଛି। ଏହାବ୍ୟତୀତ ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଢେଙ୍କାନାଳ, ବରଗଡ଼, କଳାହାଣ୍ଡି, ନୂଆପଡା, କନ୍ଧମାଳ, କଟକ, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ବନ୍ୟା ସହାୟତା ବାବଦରେ ଅର୍ଥ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏଥର ସ୍ୱାଭାବିକ ଠାରୁ ପ୍ରାୟ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ଅନେକ ନଦୀର ଜଳପତନ ଏବେ ବି ବିପଦ ସଙ୍କେତ ଉପରେ ରହିଛି ଏବଂ ବହୁ ଅଞ୍ଚଳରୁ ପାଣି ନିଷ୍କାସନ ହୋଇପାରି ନାହିଁ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସ୍ଥିତିର ସମୀକ୍ଷା କରିବା ସହ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିଭାଗରୁ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରୁ ରିପୋର୍ଟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବିଶେଷ କରି ବନ୍ୟା ପ୍ରକୋପ କମାଇବା ପାଇଁ କେଉଁ ସ୍ଥାନରେ ଘାଇ ମରାମତି ଏବଂ ନଦୀବନ୍ଧ ସୁରକ୍ଷା କାର୍ଯ୍ୟର ଆବଶ୍ୟକତା ରହିଛି, ସେନେଇ ସବିଶେଷ ତଥ୍ୟ ମଗାଯାଇଛି । ରିପୋର୍ଟ ମିଳିବା ପରେ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
