ପାଟଣା(ସତ୍ୟପାଠବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ତୋଣ୍ଡ ବିଟ୍ ଅନ୍ତର୍ଗତ ବଣମହୁଲଡିହା ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ଉତ୍ପାତ କରିଛି। ଦନ୍ତା ହାତୀଟି ଗ୍ରାମରେ ପଶି କ୍ଷୀରୋଦ ମହାନ୍ତ ଓ ନାରଦ ମହାନ୍ତଙ୍କର ଦୁଇଟି କୁକୁଡ଼ା ଫାର୍ମ ଘରକୁ ଭାଙ୍ଗି ଚୂରମାର କରିଦେଇଛି। ହାତୀର ଆକ୍ରମଣରେ ଫାର୍ମ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ଆଜବେଷ୍ଟସ ଭାଙ୍ଗି ବ୍ୟାପକ କ୍ଷତି ଘଟିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି। ତେବେ ଘଟଣା ପରେ ପୀଡ଼ିତ ପରିବାର ଚିନ୍ତାରେ ପଡ଼ିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ପୀଡ଼ିତମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।