ମାଲାନଗିରି(ସତ୍ୟପାଠବ୍ୟୁରୋ): ଆଦିବାସୀ ମହିଳାଙ୍କୁ ସ୍ଵାବଲମ୍ଵୀ କରୁଛି କଳା ଚାଉଳ। ଏହି କଳା ଚାଉଳର ଅନେକ ଔଷଧୀୟ ଗୁଣ ଥିବାବେଳେ ଦେଶ ତଥା ବାହାରେ ମଧ୍ୟରେ ଏହାର ଚାହିଦା ବେଶ ରହିଛି। ମାତ୍ର ୧୦ ଜଣ ମହିଳାଙ୍କ ଉଦ୍ୟମରେ ହସୁଛି ସୁନାର ଫସଲ। ବର୍ଷକୁ ଲକ୍ଷାଧିକ ଟଙ୍କାର କାରବାର ହେଉଥିବାବେଳେ କିଲୋ ପିଛା ଶହେ ଟଙ୍କାରେ ବିକ୍ରି ହେଉଛି ଚାଉଳ। ମାଲକାନଗିରିର ଉପାନ୍ତ ଅଞ୍ଚଳରୁ ଆସିଛି ଏଭଳି ଏକ ପ୍ରେରଣାଦାୟକ କାହାଣୀ। କାଲିମେଳା ବ୍ଲକ ତେଲେରାଇ ଗ୍ରାମର ମା’ ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନୂଆ ରାହା ଦେଇଛି କଳା ଚାଉଳ ଚାଷ। ଜିଲ୍ଲା ପ୍ରଶାସନର ସହଯୋଗରେ ଆଜି ସେମାନେ କେବଳ ଚାଷ କରୁନାହାନ୍ତି, ବରଂ ବଜାରରେ ଏକ ବ୍ରାଣ୍ଡ ସୃଷ୍ଟି କରି ପାରିଛନ୍ତି।

ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩ ବର୍ଷ ହେଲା କଳା ଚାଉଳ ଚାଷ କରି ଆସୁଛନ୍ତି। ନିଜ ଜମିରେ ଚାଷ କରିବା ସହ ଗାଁର ଅନ୍ୟ ଚାଷୀଙ୍କ ଠାରୁ ମଧ୍ୟ ଧାନ ସଂଗ୍ରହ କରୁଛନ୍ତି। ପରେ ମିଲିଂ କରି ଆକର୍ଷଣୀୟ ପ୍ୟାକେଜିଂ ସହ ବଜାରକୁ ଛାଡ଼ୁଛନ୍ତି। ଏବେ କଳା ଚାଉଳ କିଲୋ ପିଛା ପ୍ରାୟ ୧୦୦ ଟଙ୍କାରେ ବିକ୍ରି ହେଉଛି। ଏହା ସୁଗାର ଫ୍ରି ହୋଇଥିବାରୁ ଏହି ଚାଉଳର ଡିମାଣ୍ଡ୍ ଦିନକୁ ଦିନ ବଢୁଛି। ତେବେ ଏମାନେ କେବଳ ଚାଉଳ ନୁହେଁ କଳାବତୀ, ବଳାମଲି ଓ କଳାଜିରା ପରି ପାରମ୍ପରିକ ଧାନ କିସମର ମଧ୍ୟ ଚାଷ କରୁଛନ୍ତି।

ସ୍ଵୟଂ ସହାୟକ ଗୋଷ୍ଠୀର ଏହି ଅଭିନବ ପ୍ରୟାସକୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ସହଯୋଗ ମିଳିଛି। କୃଷି ବିଭାଗ ପକ୍ଷରୁ ଉନ୍ନତ ବିହନ ଯୋଗାଇ ଦିଆଯାଇଥିବା ବେଳେ, ଧାନକୁ ଚାଉଳରେ ପରିଣତ କରିବା ପାଇଁ ଏକ ମିଲିଂ ମେସିନ ପ୍ରଦାନ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ଏକର ଜମିରେ ଚାଷ କରି ପ୍ରାୟ ଏକ କୁଇଣ୍ଟାଲ କଳା ଚାଉଳ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି କରାଯାଇଛି। ନିକଟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ତେଲେରାଇ ଗାଁକୁ ଯାଇ ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି। କଳା ଚାଉଳରେ ଅଧିକ ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ଥିବାରୁ ଏହାର ଚାହିଦା ଆଗାମୀ ଦିନରେ ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଏହା ସହ ମହିଳାମାନଙ୍କ ପାଇଁ ଅଧିକ ତାଲିମ, ବଜାର ସଂଯୋଗ, ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଆଦିବାସୀ ମହିଳାମାନେ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନରହି ସ୍ୱାବଲମ୍ବୀ ହୋଇପାରିଛନ୍ତି। କୃଷିକୁ ବ୍ୟବସାୟରେ ପରିଣତ କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି। ତେବେ ତେଲେରାଇର ଏହି ମଡେଲ ଏବେ କେବଳ ମାଲକାନଗିରି ନୁହେଁ, ସମଗ୍ର ରାଜ୍ୟରେ ମହିଳା ସଶକ୍ତିକରଣ ଓ ମୂଲ୍ୟଯୁକ୍ତ କୃଷିର ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି।