ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଲୋକସଭାରେ ଆଗତ ହୋଇଛି ଖଣି ଓ ଖଣିଜ ସଂଶୋଧନ ବିଲ୍‌ । ଖଣି ରାଜସ୍ବ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଏହି ବିଲ୍‌ ଦ୍ବାରା ଗୁରୁତର ପ୍ରଭାବିତ ହେବେ। ରାଜ୍ୟଗୁଡ଼ିକର ଆର୍ଥିକ କ୍ଷମତା ସଙ୍କୁଚିତ ହେବା ସହ ଏହା ଏକ ବଡ଼ ଧରଣର ପ୍ରହାର ସଦୃଶ ହେବ। କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌ ୨୦୨୬ ଲୋକସଭାରେ ଆଗତ କରିଛନ୍ତି। ସେମାନଙ୍କ ଖଣି ରାଜସ୍ବ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଖଣି ଉପରେ ସେସ୍‌, ଶୁଳ୍କ ଓ ସେହି ଧରଣର ଟିକସ ଲଗାଇବା କ୍ଷମତାକୁ ରାଜ୍ୟମାନଙ୍କଠାରୁ କେନ୍ଦ୍ର ସରକାର ଛଡ଼ାଇ ନେବେ। ସେମାନଙ୍କ ଅଧିକାରକୁ ସଙ୍କୁଚିତ କରିଦେବେ ଏବଂ ଖଣି ଉପରେ ନିଜେ ଅଧିକାର ସାବ୍ୟସ୍ତ କରିବେ। ‌‌ତେବେ, ଏହି ବିଲ୍‌ ଖଣି କମ୍ପାନିଗୁଡ଼ିକୁ ସୁହାଇବ।

ଲିଥିୟମ୍‌, କୋବାଲଟ୍‌, ନିକେଲ, ବିରଳ ମୃତ୍ତିକା ଓ ଗ୍ରାଫାଇଟ୍‌ ଭଳି କ୍ରିଟିକାଲ୍‌ ମିନେରାଲ୍‌କୁ ନଜରରେ ରଖି ଏହି ବିଲ୍‌ ଅଣାଯାଇଥିବା କୁହାଯାଉଛି। କିନ୍ତୁ ଏହାର ପ୍ରଭାବ ସମଗ୍ର ଖଣି କ୍ଷେତ୍ର ଉପରେ ରହିବା ଆଶଙ୍କା କରାଯାଉଛି। ବିଲ୍‌ରେ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ସରକାର ଧାର୍ଯ୍ୟ କରିବାକୁ ଥିବା ସର୍ତ୍ତାବଳୀ ପୂରଣ ନ ହେଲେ କୌଣସି ରାଜ୍ୟ ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେ ନାହିଁ। ବିଲ୍‌ରେ ଏକ ସମ୍ପୂର୍ଣ୍ଣ ନୂଆ ଧାରା ୯(ଡି) ଯୋଡ଼ାଯାଇଛି।

ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ଖଣିଜ ଅଧିକାର କିମ୍ବା ଖଣିଜ ଥିବା ଅଞ୍ଚଳ ଉପରେ ଖଣିଜର ପରିମାଣ, ଖଣିଜର ମୂଲ୍ୟ, ରୟାଲ୍‌ଟି କିମ୍ବା ଅନ୍ୟ ଯେକୌଣସି ଉପାୟରେ କୌଣସି ଟିକସ, ସେସ୍‌ କିମ୍ବା ସେହି ଧରଣର ଶୁଳ୍କ ଲଗାଇପାରିବେ ନାହିଁ। ଖଣି ଉପରେ ରାଜ୍ୟଗୁଡ଼ିକ ପିଛିଲା ଭାବେ ଯେଉଁ ଟିକସ ଓ ସେସ୍‌ ଲଗାଇଛନ୍ତି ଯଦି ପ୍ରସ୍ତାବିତ ବିଲ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ତାହା ଆଦାୟ ହୋଇ ନ ଥିବ ତେବେ ସେଗୁଡ଼ିକ ଅସିଦ୍ଧ ହୋଇଯିବ। କିନ୍ତୁ ଯେଉଁ ଟିକସ, ଶୁଳ୍କ ବା ସେସ୍‌ ରାଜ୍ୟ ସରକାରଙ୍କ ରାଜକୋଷରେ ଜମା ହୋଇସାରିଥିବ ତାହା ବୈଧ ରହିବ। ରାଜ୍ୟଗୁଡ଼ିକ ତାହା ଫେରାଇବେ ନାହିଁ। ଏହି ବିଲ୍‌ ରାଜ୍ୟଗୁଡ଼ିକର ରାଜସ୍ବ ସଂଗ୍ରହକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା କରାଯାଉଛି।