ନବରଙ୍ଗପରୁ(ସତ୍ୟପାଠ ବ୍ୟୁରୋ): ପୋଲ ନିକଟରେ ଲାଗିଛି ସତର୍କତା ଫଳକ । ବିପଦଶଙ୍କୁଳ ଘୋଷଣା କରାଯାଇଥିବାରୁ ପଥଚାରୀ ଓ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ମାତ୍ର ୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଲଟି ଦବି ଯାଇଥିବା ଦେଖାଯାଇଛି । ଏବେ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ଼ଗୁମୁଡା ନିକଟରେ ଥିବା ଏହି ପୋଲର ଅବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଲୋକଙ୍କ ଟଙ୍କାରେ ତିଆରି ପୋଲ ଏତେ କମ୍ ସମୟରେ କିପରି ବିପଦଶଙ୍କୁଳ ହେଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରାୟ ୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ହୋଇଥିଲା । ବଡ଼ଆମଡ଼ା, ଡାବୁଗାଁ ଓ ଉମରକୋଟ ବ୍ଲକକୁ ସଂଯୋଗ କରୁଥିବା ଏହି ପୋଲ ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ଜୀବନରେଖା ସାଜିଥିଲା । ପରବର୍ତ୍ତୀ ସମୟରେ ପ୍ଲିନ୍ଥ ପ୍ରୋଟେକ୍ସନ ପାଇଁ ୨୦୨୫-୨୬ରେ ଆହୁରି ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏଥିରୁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଲକୁ ସୁରକ୍ଷିତ କରାଯାଇପାରିନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ଯୋଗୁଁ ପୋଲଟି ଏତେ ଶୀଘ୍ର କ୍ଷତିଗ୍ରସ୍ତ ହୋଇଛି । ଏହାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।
ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ଭିନ୍ନ କାରଣ ଦର୍ଶାଇଛନ୍ତି । ପୋଲ ଚାରିପାଖରୁ ବେଆଇନ ବାଲି ଉତ୍ତୋଳନ ହେବା ଫଳରେ ମାଟି ଧୋଇଯାଇ ପୋଲ ଦବିଯାଇଥିବା କହିଛନ୍ତି ଅଧିକାରୀ। ସୁରକ୍ଷା ଦୃଷ୍ଟିରୁ ପୋଲଟିକୁ ଭାଙ୍ଗିବା ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଥିବା ସୂଚନା ମିଳିଛି ।
