ମାଲକାନଗିରି, (ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଏମ୍‌ଭି-୧୦୪ରେ କୁମ୍ଭୀର ଆତଙ୍କ ଦେଖାଯାଇଛି। ଗତ ୪ ଦିନ ମଧ୍ୟରେ ୧୦୦ରୁ ଅଧିକ କୁମ୍ଭୀର ଗିଳି ଦେଇଥିବା ସୂଚନା ମିଳିଛି। ୪ ଦିନ ପୂର୍ବରୁ ବିରାଟ କୁମ୍ଭୀର ପୋଟେରୁ ନଦୀରୁ ଚାଲି ଆସିଥିଲା ପୋଖରୀକୁ। ଗୋଟିଏ ପରେ ଆଉ ଗୋଟେ ହଂସ ଗିଳି ଚାଲିଥିଲା। ୪ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ହଂସ ଖାଇ ସାରିଲାଣି। କେବଳ ସେତିକି ନୁହେଁ, ସାନ ବଡ଼ ମାଛ ବି ଖାଇ ଚାଲିଛି। ଦିନକୁ ଦିନ ହଂସ କମି ଚାଲିଥିବାବେଳେ ପୋଖରୀ ମାଲିକଙ୍କର ସନ୍ଦେହ ବଢ଼ିଥିଲା। ଶେଷରେ ଏହି ହଂସଖିଆ କୁମ୍ଭୀର ନଜରକୁ ଆସିଛି। ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ୍‌ ଚିତାପାରି-୩ ପଞ୍ଚାୟତର ଏମ୍‌ଭି-୧୦୪ ଗାଁରେ ଏହି କୁମ୍ଭୀର ଆତଙ୍କ ଦେଖାଦେଇଛି। ବନ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଛୋଟ ଜାଲରେ ଧରା ପଡ଼ୁ ନଥିବାବେଳେ ଏବେ ଅଧିକ କ୍ଷମତାସମ୍ପନ୍ନ ଜାଲ ଦ୍ୱାରା କୁମ୍ଭୀରକୁ ଧରିବା ପରେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଟିମ୍‌ ମୁଖ୍ୟ ସମୀର ଜେନା।

ଏମ୍‌ଭି-୧୦୪ ଗାଁର ମହାନନ୍ଦ ମଣ୍ଡଳଙ୍କ ଏକ ଏକରର ପୋଖରୀଟିଏ ରହିଛି । ସେଥିରେ ସେ ମାଛଚାଷ କରିବା ସହ ଛାଡ଼ିଛନ୍ତି ହଂସ । ଦୁଇ ଦିନ ହେଲା ହଂସ କମି ଚାଲିଥିବା ସେ ଜାଣିବାକୁ ପାଇଥିଲେ । କୁମ୍ଭୀର ହଂସ ଖାଉଥିବା ନେଇ ପ୍ରଥମେ ତାଙ୍କ ମନରେ ସନ୍ଦେହ ହୋଇଥିଲା । ଗତକାଲି ସକାଳେ ସେ ପୋଖରୀ କୁଳରେ ବୁଲୁଥିବାବେଳେ ଏକ ବଡ଼ କୁମ୍ଭୀରଟି ଦେଖିବାକୁ ପାଇଥିଲେ। ତାଙ୍କୁ ଦେଖି ପାଣି ଭିତରକୁ ପଶିଯାଇଥିଲା । ମହାନନ୍ଦ କହିଛନ୍ତି, ଏହି କୁମ୍ଭୀରଟି ପ୍ରାୟ ୮ରୁ ୧୦ ଫୁଟ୍‌ ହେବ । ପୋଖରୀରେ ଥିବା ୧୦୦ରୁ ଅଧିକ ହଂସକୁ ମାରି ଖାଇଦେଇଛି । ଏହାସହ ୫ କୁଇଣ୍ଟାଲରୁ ଅଧିକ ମାଛ ମଧ୍ୟ ଖାଇଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ବନ ବିଭାଗର ରାପିଡ୍‌ ରେସପନ୍ସ ଟିମ୍‌ ମୁଖ୍ୟ ଶ୍ରୀ ଜେନା, କୈଳାସ ମହାରଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ । ଆରମ୍ଭ କରିଥିଲେ କୁମ୍ଭୀରଧରା ଅଭିଯାନ । ହେଲେ ଟିମ୍‌ ଆଣିଥିବା ଜାଲରେ କୁମ୍ଭୀରକୁ ଧରିବା ସମ୍ଭବ ହୋଇ ନ ଥିଲା । ନିରାଶ ହୋଇଥିଲେ ଟିମ୍‌ । ଏ ସମ୍ପର୍କରେ ଟିମ୍‌ ମୁଖ୍ୟ ଶ୍ରୀ ଜେନାଙ୍କୁ ପଚାରିବାରୁ କହିଛନ୍ତି, ପୋଖରୀରେ କୁମ୍ଭୀର ରହିଥିବା ସ୍ପଷ୍ଟ ହୋଇସାରିଛି । ବିଭାଗ ନିକଟରେ ଥିବା ଜାଲରେ ବଡ଼ କୁମ୍ଭୀରକୁ ଉଦ୍ଧାର କରିବା ସମ୍ଭବ ନୁହେଁ । ଆବଶ୍ୟକ ଜାଲ ବ୍ୟବସ୍ଥା କରି ଖୁବ୍‌ଶୀଘ୍ର କୁମ୍ଭୀର ଉଦ୍ଧାର କରାଯିବ । ବାଲିମେଳା ରେଞ୍ଜର ଲିସ୍ମିତା କହଁର କହିଛନ୍ତି, ଟିମ୍‌ ପକ୍ଷରୁ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଖରୀ ନିକଟ ଦେଇ ଏକ ବଡ଼ ନାଳ ଯାଇଛି । ନାଳଟି କିଛିଦୂରରେ ଥିବା ପୋଟେରୁ ନଦୀରେ ମିଶିଛି । ନଦୀରେ ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ କୁମ୍ଭୀରଟି ପୋଖରୀକୁ ଚାଲି ଆସିଥିବା ବନ ବିଭାଗ ଅନୁମାନ କରୁଛି। ସୁରକ୍ଷା ଦୃଷ୍ଟିରୁ ପୋଖରୀ ନିକଟକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି।