ରାଉରକେଲା,(ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ସ୍ଥିତି ବେହାଲ ହୋଇଛି। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଇସ୍ପାତ ନଗରୀ ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମାତ୍ର ଘଣ୍ଟାଏ ବର୍ଷାରେ ରାଉରକେଲା ସହରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ରାସ୍ତାଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ବେଳେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ମଧ୍ୟ ବର୍ଷାଜଳ ପଶିଛି। ଇନ୍ଦିରା କଲୋନୀ, ଗୁରୁଦ୍ୱାରା ରୋଡ୍, ବାଲୁଘାଟ ଓ ପାନପୋଷ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଛି। ଡ୍ରେନ୍ ଓ ରାସ୍ତା ଏକାକାର ହୋଇଯାଇଛି। ପ୍ରବଳ ବର୍ଷା ଓ ଝଡ଼ପବନ ମଧ୍ୟରେ ରାଉରକେଲା ରେଳ ଷ୍ଟେସନରେ ଅଘଟଣ ଘଟିଛି। ଷ୍ଟେସନରେ ନିର୍ମାଣାଧୀନ ଏକ ସେଡ୍ ଭାଙ୍ଗି ପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଉଦ୍ଧାରକାରୀ ଦଳ ଓ ସମ୍ପୃକ୍ତ ଅଧିକାରୀମାନେ ତତ୍ପର ହୋଇଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିଛି ବ୍ରାହ୍ମଣୀ ନଦୀର ଜଳସ୍ତର। ଜଳପ୍ରବାହ ବଢ଼ିବା ପରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଡ୍ୟାମର ଗେଟ୍ ଖୋଲାଯାଇଛି। ଡ୍ୟାମର ୮ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨ ହଜାର ଘନମିଟର ଜଳ ନିଷ୍କାସିତ ହେଉଛି। ଏହାକୁ ନେଇ ତଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ କରାଯାଇଛି। ଅନ୍ୟପଟେ ବୈତରଣୀ, ସାଳନ୍ଦୀ, ଜଳକା ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଅନେକ ସ୍ଥାନରେ ରାସ୍ତାଘାଟ, ଚାଷଜମି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବନ୍ୟା ପରିସ୍ଥିତିରୁ ରାଜ୍ୟ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ ପୁଣି ଲଘୁଚାପ ଆଶଙ୍କା ଚିନ୍ତା ବଢ଼ାଇଛି । ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ। ଲଘୁଚାପ ସୃଷ୍ଟି ହେଲେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।
