ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଅଗଷ୍ଟ ୨୭ ସୁଦ୍ଧା ପିଏମ୍ଏୱାଇ ହିତାଧିକାରୀ ଯାଞ୍ଚ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଆବାସ ଓ ଗ୍ରାମୀଣ ବିକାଶ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ସାଂସଦୀୟ ପ୍ରତିନିଧି ଦଳ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ଗିରୀଶ ଏସ୍.ଏନ୍. ଉପସ୍ଥିତ ଥିଲେ।
ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ହିତାଧିକାରୀ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ସର୍ଭେରେ ପ୍ରାୟ ୩୮ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି ଏବଂ ବର୍ତ୍ତମାନ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି।
ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ଅଗଷ୍ଟ ୨୭ ସୁଦ୍ଧା ଯାଞ୍ଚ ଓ ସ୍କ୍ରୁଟିନି ପ୍ରକ୍ରିୟା ଶେଷ ହେବ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ତାଲିକା ପାଇବା ପରେ ସେପ୍ଟେମ୍ବରରେ ଓଡ଼ିଶା ପାଇଁ ପିଏମ୍ଏୱାଇର ପ୍ରଥମ ପର୍ଯ୍ୟାୟ ଆବାସ ଆବଣ୍ଟନ କରାଯିବ। ଏହା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ।
କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଚୌହାନ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବାସ ସର୍ଭେ ସମ୍ପନ୍ନ କରାଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଯାଞ୍ଚ ପ୍ରକ୍ରିୟା ହାତକୁ ନିଆଯାଇଥିବା ନେଇ ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଯୋଗ୍ୟ ଓ ଆବାସ ଆବଶ୍ୟକ କରୁଥିବା ସମସ୍ତ ପରିବାରଙ୍କୁ ଆବାସ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ।
ବୈଠକରେ ଓଡ଼ିଶାରେ ବିକଶିତ ଭାରତ–ଗ୍ରାମ ଯୋଜନାର କାର୍ଯ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ପଦକ୍ଷେପ ଅଧୀନରେ ଓଡ଼ିଶାରେ ପ୍ରାୟ ୫,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ସହ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଉପଯୋଗୀ ଭିତ୍ତିଭୂମି ଓ ସାମୁଦାୟିକ ସମ୍ପତ୍ତି ସୃଷ୍ଟିକୁ ସହାୟତା ମିଳିବ।
