ଜମନକିରା,(ସତ୍ୟପାଠ ବ୍ୟୁରୋ ): ଅସରାଏ ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ। ପିଲାମାନେ ସ୍କୁଲ ଯିବାଠୁ ଆରମ୍ଭ କରି ବଜାରବାଟ,  ମେଡିକାଲ ଯିବା ସବୁ ଏକପ୍ରକାର ଠପ ହୋଇଯାଏ। ବାରମ୍ବାର ଅଭିଯୋଗ ପରେ ଯାହା ଏକ ବ୍ରିଜ ନିର୍ମାଣ ହୋଇଥିଲା, ଚଳିତ ବର୍ଷାରେ ତାହା ବି ଗୋଟିଏ ପଟ ଧୋଇ ହୋଇଗଲା। ଫଳରେ କାଠ ଗଣ୍ଡି ପକାଇ ଲୋକେ ଯିବା ଆସିବା କରୁଥିବା ଦେଖାଯାଇଛି। ଏ ହେଉଛି ଜମନକିରା ବ୍ଲକ ଅନ୍ତର୍ଗତ ସିରିଡ ପଞ୍ଚାୟତ ଚିରିଗେନଖୋଲ ଗ୍ରାମର ଦୃଶ୍ୟ । ସାମାନ୍ୟ ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ ଚିରିଗେନଖୋଲ ଗାଁ। ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ବ୍ରିଜ ନିର୍ମାଣ ହୋଇଥିଲା l ଏ ବର୍ଷ ପ୍ରବଳ ବର୍ଷା ଫଳରେ ବ୍ରିଜର ଗୋଟାଏ ପଟରେ ମାଟି ଧୋଇ ହୋଇ ଯିବା ଫଳରେ ଲୋକଙ୍କୁ ଯିବା ଆସିବା କରିବାକୁ ବହୁତ ଅସୁବିଧା ହେଉଛି l ଗ୍ରାମବାସୀ ୩/୪ଟି କାଠ ଗଣ୍ଡି ପକାଇ ତା ଉପରେ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି। ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଏବେ ଏହି କାଠ ଗଣ୍ଡି ହିଁ ଏକ ମାତ୍ର ଭରସା ପାଲଟିଛି। ଏଥିରେ ବିପଦ ସଙ୍କୁଳ ଅବସ୍ଥାରେ ଛୋଟ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ, ରୋଗୀ ଯାତାୟତ କରୁଛନ୍ତି। ପ୍ରତିଦିନ ଗ୍ରାମବାସୀ ନିଜ ନିଜ କାମରେ ଉକ୍ତ ବିପଦ ପୁର୍ଣ୍ଣ ରାସ୍ତା ଦେଇ ସ୍କୁଲ, କଲେଜ, ପଞ୍ଚାୟତ, ବ୍ଲକ, ତହସିଲ, ହାଟ, ବଜାର ପ୍ରଭୁତି କାମରେ ଯିବା ଆସିବା କରୁଛନ୍ତି। ଏ ନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।