ଯାଜପୁର,(ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି ଭୟାବହ ହୋଇଛି। ଦରପନ୍ତରିଆ ଘାଇରେ ବନ୍ୟାଜଳ ପଶିବା ପରେ ବରୀ ଅଞ୍ଚଳର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସିବାରୁ ବରୀର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ। ଘରଦ୍ୱାରରେ ପାଣି ପଶିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ପୂର୍ବ ବନ୍ୟା ସମୟରେ ବାଙ୍କସାହି, ଅରୁଆଳ ଓ ଚନ୍ଦନପୁରରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାଜଳ ହ୍ରାସ ପରେ ଘାଇ ମରାମତି କାମ ଆରମ୍ଭ ହୋଇଥିଲେ ମଧ୍ୟ ୧୫ ଦିନ ପରେ ବି ନିର୍ମାଣ କାମ ଶେଷ ହୋଇନଥିଲା। ଫଳରେ ଅରୁଆଳ ଘାଇ ଦେଇ ପ୍ରଥମେ ବନ୍ୟାଜଳ ପ୍ରବେଶ କରିଥିଲା। ପରେ ଚନ୍ଦନପୁର ଓ ବାଙ୍କସାହି ଘାଇ ମଧ୍ୟ ବୁଡ଼ିଯାଇଥିଲା। ବନ୍ୟାରେ କଚ୍ଚା ଘର ଭାଙ୍ଗିଯିବା ସହ ଅନେକ ଘରେ ପାଣି ପଶିଛି। ରୋଷେଇ ଚୁଲି ବୁଡ଼ିଯିବାରୁ ଅନେକ ପରିବାର ରୋଷେଇ କରିନପାରି ଉପାସରେ ରହିଛନ୍ତି। କିଏ ଛାତ ଉପରେ ତ କିଏ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ତେବେ ଅଭିଯୋଗ ଅନୁସାରେ, ଏପର୍ଯ୍ୟନ୍ତ ଅନେକ ପ୍ରଭାବିତ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ କିମ୍ବା ପାନୀୟଜଳ ପହଞ୍ଚି ନାହିଁ।
