କୋରାପୁଟ,(ସତ୍ୟପାଠବ୍ୟୁରୋ): ଭଙ୍ଗା ଘରେ କଟୁଛି ଦିନ। ପେଟକୁ ୨ ମୁଠା ଖାଇବା ପାଇଁ କରିବାକୁ ପଡ଼ୁଛି ସଂଘର୍ଷ। ଝାଟିମାଟି ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବଡ଼ିଙ୍ଗା ଗ୍ରାମର ଦନେଇ ଖିନବୁଡ଼ି। କାନ୍ଥରୁ ମାଟି ଝଡ଼ି ଲଗାଣି, ବର୍ଷାରେ ଘରଟି କେତେବେଳେ ଭୁଶୁଡ଼ି ପଡ଼ିବ କିଛି କହି ହେବ ନାହିଁ। ଦନେଇଙ୍କ ଦୟନୀୟ ସ୍ଥିତି ଦେଖିଲେ ଲାଗେ ସରକାରଙ୍କ ସବୁ ଯୋଜନା ଏଠି ଯେମିତି ନିରବୀ ଯାଇଛି। ଭଙ୍ଗା ଦଦରା ଘର ଚାଲିବା ପାଇଁ ଯାଗା ନାହିଁ। ବୟସର ଅପରାହ୍ନରେ ଦୁର୍ଦ୍ଦିନରେ ଦିନ କାଟୁଥିବାବେଳେ ଚାଉଳ ଗଣ୍ଡେ ଫୁଟାଇବା ପାଇଁ ବି ବଳ ନାହିଁ। ଠିକରେ ଚାଲି ପାରୁ ନଥିବାବେଳେ ଖଣ୍ଡେ ବାଡ଼ି ହିଁ ଏକମାତ୍ର ସାହାରା ପାଲଟିଛି। ଗାଁ ଲୋକେ ଯାହା ଦିଅନ୍ତି ଖାଇ ଦିନ କାଟୁଛନ୍ତି ଅସହାୟ ମହିଳା। ସେମିଳିଗୁଡ଼ା ସହରରେ ଦିନ ମଜୁରି କରି ପେଟ ପୋଷୁଥିଲେ ଦନେଇ। କିନ୍ତୁ କାମ କରୁଥିବା ସମୟରେ ନାଳ ଉପରେ ପଡ଼ିଯାଇ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଅର୍ଥାଭାବରୁ ଚିକିତ୍ସା କରାଇ ପାରିନଥିବାରୁ ପ୍ରାୟ ଦୁଇ ସପ୍ତାହ ଘରେ ପଡ଼ି ରହିଥିଲେ। ଦେଖାଶୁଣା କରିବାକୁ ମଧ୍ୟ ପାଖରେ କେହି ନଥିଲେ। ଏବେ ଚାଲିବା ପାଇଁ ଖଣ୍ଡେ ବାଡ଼ି ହିଁ ତାଙ୍କର ଏକମାତ୍ର ଭରସା। ଅନ୍ୟପଟେ ଦନେଇଙ୍କ ଭଙ୍ଗା ଘରେ ବର୍ଷା ଦିନ କାଟୁଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। କଥା କହିବା ଓ ଶୁଣିବା ଶକ୍ତି ମଧ୍ୟ ସେ ପ୍ରାୟ ହରାଇଛନ୍ତି। ନିଜର କେହି ନଥିବାରୁ ଗ୍ରାମବାସୀଙ୍କ ସହାୟତାରେ ହିଁ ତାଙ୍କ ଜୀବନ ଚାଲିଛି। ଦନେଇଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି। ସ୍ଥାନୀୟ ସରପଞ୍ଚ ମଧ୍ୟ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଆବାସ ଗୃହ ଯୋଗାଇଦେବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି। ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ କହିଛନ୍ତି ତୁରନ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲ ଟିମ୍ ଦନେଇଙ୍କ ନିକଟକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ରେଡକ୍ରସ୍ ପକ୍ଷରୁ ଆର୍ଥିକ ସହାୟତା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଭଙ୍ଗା ଘର ଓ ଭଙ୍ଗା ଶରୀର ସହ ଏକାକୀ ଜୀବନ ବିତାଉଥିବା ଦନେଇଙ୍କ ଆଖିରେ ଏବେ ସରକାରୀ ସହାୟତାର ଆଶା। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ବାସ୍ତବ ରୂପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।