ବଲାଙ୍ଗୀର, (ସତ୍ୟପାଠବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଆତଙ୍କ। କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛି ହାତୀପଲ। ମୁରିବାହାଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗାଁର ମାଝୀପଡ଼ାରେ ପଶିଛନ୍ତି ୧୬ ଟିକିଆ ହାତୀପଲ। ହାତୀପଲ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପଳା ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀପଲ ନେତ୍ର ଭୋଇଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ହଠାତ୍‌ ଗାଁ ଭିତରକୁ ହାତୀପଲ ପଶି ଆସିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ହାତୀଙ୍କୁ ଦେଖି ଲୋକେ ଘରୁ ବାହାରକୁ ନବାହାରି ସତର୍କ ରହିଥିଲେ । ସୂଚନା ଅନୁସାରେ, ଏହି ୧୬ ଟିକିଆ ହାତୀପଲ ଗତ କିଛି ଦିନ ହେଲା ମୁରିବାହଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛନ୍ତି । ବାରମ୍ବାର ଗାଁ ନିକଟକୁ ହାତୀପଲ ଆସୁଥିବାରୁ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଖବର ପାଇ ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯାଇଛି। ଏଥିସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି। ହାତୀପଲକୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ, ହାତୀପଲ ଯୋଗୁଁ କ୍ଷତିଗ୍ରସ୍ତ ପରିବାରକୁ ନିୟମାନୁସାରେ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି।