ବ୍ରହ୍ମପୁର, (ସତ୍ୟପାଠବ୍ୟୁରୋ): ରଖେ ହରି ମାରେ କିଏ। ଦୃଢ଼ ମନୋବଳ ଯୋଗୁଁ ମୃତ୍ୟୁ ବି ଆଜି ହାର ମାନିଛି। ସ୍କୁଲ ଗଲା ବେଳେ ସାଇକେଲରୁ ଗଳି ପଡ଼ିଲା ପଞ୍ଚମ ଛାତ୍ର। ପେଟରେ ପଶିଗଲା ଧାରୁଆ ପଦାର୍ଥ, ବାହାରି ପଡ଼ିଲା ଅନ୍ତବୁଜୁଳା। ଅନ୍ତବୁଜୁଳା ଧରି ଦେଢ଼ କିଲୋମିଟର ଘରକୁ ଦୌଡ଼ିଲା ବାଳକ। ଏଭଳି ଲୋମଟାଙ୍କୁଟା ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ସାନ ଆଇଜିପଲି ଗାଁରେ। ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ସାଇକଲ ଧରି ସ୍କୁଲ ଯିବା ବେଳେ ଘଟିଥିଲା ବଡ଼ ଅଘଟଣ। କୌଣସି କାରଣରୁ ସାଇକେଲରୁ ଗଳି ପଡ଼ିବା ପରେ ତଳେ ଥିବା ଏକ ଧାରୁଆ ଜିନିଷ ପେଟରେ ପଶି ଯାଇଥିଲା। ଆଉ ପେଟରୁ ବାହାରି ପଡ଼ିଥିଲା ଅନ୍ତବୁଜୁଳା। ପ୍ରବଳ ରକ୍ତସ୍ରାବ ସତ୍ତ୍ବେ ଅନ୍ତବୁଜୁଳାକୁ ସାର୍ଟରେ ଚାପି ଧରି ପ୍ରାୟ ଦେଢ଼ କିଲୋମିଟର ଦୂର ଘରକୁ ଦୌଡ଼ିଥିଲା ପିଲାଟି। ଘରେ ପହଞ୍ଚିବା ପରେ ପୁଅର ଏ ଅବସ୍ଥା ଦେଖି ଘର ଲୋକ ଭୟଭୀତ ହୋଇପଡ଼ିଥିଲେ। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସକୁ ନ ଡ଼ାକି ଗାଁର ଜଣେ ସଂପର୍କୀୟଙ୍କ ବାଇକରେ ବସାଇ ବଡ଼ଗଡ଼ ଡାକ୍ତରଖାନା ଆଣିଥିଲେ ପରିବାର ଲୋକ। ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା। ଅନ୍ତବୁଜୁଳା ବାହାରି ପଡ଼ିଥିଲେ ବି ନଷ୍ଟ ହୋଇନଥିଲା। ପ୍ରାୟ ଦେଢ଼ ଘଣ୍ଟା ଲାଗି ଅପରେସନ କରିଥିଲେ ଏକ ଡାକ୍ତରୀ ଟିମ୍। ଏବେ ପିଲାଟିର ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି କହିଛନ୍ତି ବ୍ରହ୍ମପୁର ବଡ଼ ମେଡିକାଲ ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ମାନସ ରଂଜନ ଦାସ। ଅନ୍ତବୁଜୁଳା ବାହାରି ପଡ଼ିବା ସତ୍ତ୍ବେ ଧୖର୍ଯ୍ୟ ନହରାଇ ଘର ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯିବା ଏବଂ ସେଠାରୁ ତୁରନ୍ତ ହସ୍ପିଟାଲ ଆସିବା ଯୋଗୁଁ ପିଲାଟିକୁ ସାବାସୀ ଦେଇଛନ୍ତି ଡାକ୍ତର। ନିଜର ସାହସ ଏବଂ ଡାକ୍ତରଙ୍କ ତ୍ବରିତ ଚିକିତ୍ସା ପାଇଁ ପିଲାଟି ନୂଆ ଜୀବନ ପାଇଥିବା ବେଳେ ଏବେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ଆଶା କରାଯାଉଛି।
