ନୁଆଦିଲ୍ଲୀ,୨୦|୮: ଦିଲ୍ଲୀ-ଏନସିଆରରେ ବୃଦ୍ଧିପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆୟୋଗ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବାୟୁ ଗୁଣବତ୍ତାକୁ ସୁଧାରିବା ତଥା ପରିବହନ ଜନିତ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏନ-୧ ଏବଂ ଏନ-୨ ବର୍ଗର ମାଲବାହୀ ଯାନଗୁଡ଼ିକ ପାଇଁ ନୂତନ ପଞ୍ଜୀକରଣ ପାଇଁ ଘୋଷଣା କରାଯାଇଛି। ଆଗାମୀ ଦିନରେ ଏହି ଅଞ୍ଚଳରେ କେବଳ ବୈଦ୍ୟୁତିକ ଯାନ ଗୁଡ଼ିକୁ ମାଲବାହୀ ଯାନ ଭାବରେ ଅନୁମତି ଦିଆଯିବ।

ସାଢ଼େ ତିନି ଟନ୍ ପର୍ଯ୍ୟନ୍ତ ଓଜନ ବିଶିଷ୍ଟ ଛୋଟ ମାଲବାହୀ ଯାନଗୁଡ଼ିକୁ ଏନ-୧ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ରୁ ଦିଲ୍ଲୀରେ ଡିଜେଲ, ପେଟ୍ରୋଲ ଏବଂ ସିଏଲଜି ଦ୍ୱାରା ଚାଳିତ ନୂତନ ଏନ-୧ ବର୍ଗର ମାଲବାହୀ ଯାନ ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହାପରେ କେବଳ ଇଲେକ୍ଟ୍ରିକ ଯାନଗୁଡ଼ିକୁ ହିଁ ପଞ୍ଜୀକୃତ କରାଯିବ।ଏନସିଆରର ଅନ୍ୟାନ୍ୟ ଅଞ୍ଚଳ ଯଥା ଗୁରୁଗ୍ରାମ, ଫରିଦାବାଦ, ସୋନିପତ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗର ଭଳି ଅଧିକ ଯାନବାହାନ ଘନତା ଥିବା ଅଞ୍ଚଳଗୁଡ଼ିକରେ ଏହି ନିୟମ ୧ ଜୁଲାଇ, ୨୦୨୭ ଠାରୁ ଲାଗୁ ହେବ। ଏନସିଆରର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ୧ ଜାନୁଆରୀ, ୨୦୨୮ରୁ ଡିଜେଲ ଏବଂ ପେଟ୍ରୋଲ ଏନ-୧ ଯାନର ପଞ୍ଜୀକରଣ ବନ୍ଦ ହେବ।
ସେହିପରି ବଡ଼ ମାଲବାହୀ ଯାନ ତଥା ସାଢ଼େ ତିନି ଟନ୍ ରୁ ସାଢ଼େ ସାତ ଟନ୍ ମଧ୍ୟରେ ଓଜନ ଥିବା ଯାନଗୁଡ଼ିକୁ ଏନ-୨ ବର୍ଗରେ ରଖାଯାଇଛି। ଏହି ବଡ଼ ଗାଡ଼ିଗୁଡ଼ିକ ପାଇଁ ମଧ୍ୟ ପର୍ଯ୍ୟାୟକ୍ରମେ କଟକଣା ଘୋଷଣା କରାଯାଇଛି। ଜାନୁଆରୀ ୧, ୨୦୨୮ ରୁ ଦିଲ୍ଲୀରେ ଡିଜେଲ, ପେଟ୍ରୋଲ ଏବଂ CNG ଦ୍ୱାରା ଚାଳିତ ଏନ-୨ ଯାନର ପଞ୍ଜୀକରଣ ବନ୍ଦ ହେବ। ଗୁରୁଗ୍ରାମ, ଫରିଦାବାଦ, ସୋନିପତ, ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗରରେ ଏହି ନିଷେଧାଦେଶ ୧ ଜୁଲାଇ, ୨୦୨୮ ରୁ କାର୍ଯ୍ୟକାରୀ ହେବ। ଜାନୁଆରୀ ୧, ୨୦୨୯ ରୁ ଏନସିଆରର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଡିଜେଲ ଏବଂ ପେଟ୍ରୋଲ ଏନ-୨ ଯାନ ପଞ୍ଜୀକରଣ ବନ୍ଦ ହୋଇଯିବ।