ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଦିଲ୍ଲୀ-ଏନସିଆରରେ ବର୍ଷାର ତାଣ୍ଡବ ଦଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ବିମାନ ସେବାଠୁ ଆରମ୍ଭ କରି ରାସ୍ତାଘାଟ ସବୁକିଛି ପ୍ରଭାବିତ ହୋଇଛି। ଲଗାଣ ବର୍ଷା ସାଙ୍ଗକୁ ଜୋରରେ ପବନ ହେଉଥିବାରୁ ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଜନଜୀବନକୁ ବେଶ୍ ପ୍ରଭାବିତ କରିଛି। ବର୍ଷାର ପ୍ରଭାବ ସିଧାସଳଖ ବିମାନ ଚଳାଚଳ ଉପରେ ପଡ଼ିଛି। ଦିଲ୍ଲୀ ବିମାନବନ୍ଦରରୁ ୧୫ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଛି । ସେଥିମଧ୍ୟରୁ ୧୨ଟି ବିମାନ ଜୟପୁର, ୨ଟି ଚଣ୍ଡିଗଡ଼ ଏବଂ ଗୋଟିଏ ବିମାନ ଲକ୍ଷ୍ନୌକୁ ଡାଇଭର୍ଟ ହୋଇଛି । ଏହାରି ଭିତରେ ୩ଟି ଅନ୍ତର୍ଜାତୀୟ ବିମାନ ମଧ୍ୟ ରହିଛି। ଅନ୍ୟପଟେ, ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ପ୍ରାୟ ୨୬୨ଟି ବିମାନ ବିଳମ୍ବିତ କିମ୍ବା ପ୍ରଭାବିତ ହୋଇଛି । କେବଳ ବିମାନ ସେବା ପ୍ରଭାବିତ ନୁହେଁ, ବର୍ଷାରେ ଦିଲ୍ଲୀ-ଏନସିଆର ରାସ୍ତାଘାଟ ମଧ୍ୟ ଜଳବନ୍ଦୀ ହୋଇଛି । ଗୁରୁଗ୍ରାମର ସୋହନା ରୋଡ୍ର ସର୍ଭିସ୍ ଲେନ୍ରେ ପ୍ରାୟ ଦୁଇ ଫୁଟ୍ ପାଣି ଜମିବାରୁ ଗାଡ଼ି ଚଳାଚଳ ଧିମା ହୋଇଛି । ଏଠାରେ ପ୍ରାୟ ୪ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀର ଏମବି ରୋଡ୍, ସଙ୍ଗମ ବିହାର ଏବଂ ବାୟୁସେନାବାଦ ଅଞ୍ଚଳରେ ମଧ୍ୟ ଭୀଷଣ ଟ୍ରାଫିକ୍ ଜାମ୍ ହୋଇଛି । ବର୍ଷା ଯୋଗୁଁ ଅନେକ ଯାତ୍ରୀ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତାରେ ଫସି ରହିଥିବା ଜଣାପଡ଼ିଛି । ଗାଜିଆବାଦରେ ମଧ୍ୟ ସ୍ଥିତି ସଙ୍ଗୀନ। ଏନଏଚ-୯ ନିକଟ ଇଣ୍ଡଷ୍ଟ୍ରିଆଲ୍ ଏରିଆ ଅଣ୍ଡରପାସ୍ରେ ପାଣି ଜମିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ କାର୍ ଓ ଦୁଇଚକିଆ ଗାଡ଼ି ପାଣିରେ ଫସିଥିବା ବେଳେ, ଲୋକେ ବର୍ଷା ଛାଡ଼ିବା ଅପେକ୍ଷାରେ ରହିଛନ୍ତି । ଏପଟେ ନୋଏଡାର ସେକ୍ଟର ୧୬, ୩୯ ଓ ୯୫ ସମେତ ଅନେକ ଅଞ୍ଚଳରେ ମଧ୍ୟ ଜୋରଦାର ବର୍ଷା ହୋଇଛି। ବର୍ଷା ଯୋଗୁଁ ତାତି ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଜଳବନ୍ଦୀ ଓ ଟ୍ରାଫିକ୍ ସମସ୍ୟା ଚିନ୍ତା ବଢ଼ାଇଛି । ଗୁରୁଗ୍ରାମ ଓ ଫରିଦାବାଦ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ସମୟରେ ମଧ୍ୟ ଭାରି ବର୍ଷା ଜାରି ରହିପାରେ । ତେଣୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ଟ୍ରାଫିକ୍ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।
